ବିଧାୟକଙ୍କ ଡ୍ରାଇଭର ଘର ଉପରେ ଆୟକର ବିଭାଗର ଚଢ଼ାଉ, ୧ କୋଟି ଟଙ୍କା ଜବତ

ଚେନ୍ନାଇ: ତାମିଲନାଡୁରେ ଆୟକର ବିଭାଗର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି), ବିଧାୟକ ଆର. ଚନ୍ଦ୍ରଶେଖରଙ୍କ ଡ୍ରାଇଭର ଆଲାଗାରାସାମୀଙ୍କ ଘରେ ଚଢ଼ାଉ କରି ୧ କୋଟି ଟଙ୍କା ଜବତ କରିଛି । ଚନ୍ଦ୍ରଶେଖର ତାମିଲନାଡୁର ତ୍ରିଚି ଜିଲ୍ଲାର ମାନାପରାଇ ନିର୍ବାଚନମଣ୍ଡଳୀର ବିଧାୟକ ହୋଇଥିବାବେଳେ ଆଲାଗାରାସାମୀ ନଅ ବର୍ଷ ଧରି ବିଧାୟକଙ୍କ ଡ୍ରାଇଭର ଭାବେ କାମ କରୁଛନ୍ତି | ଆୟକର ବିଭାଗର ଅଧିକାରୀ କହିଛନ୍ତି ଯେ ଡ୍ରାଇଭରଙ୍କ ପାଖରେ ଅପର୍ଯ୍ୟାପ୍ତ କଳାଟଙ୍କା ଥିବା ନେଇ ଅଭିଯୋଗ ଆସିଥିଲା |

ଏହା ପରେ ଡ୍ରାଇଭରଙ୍କ ଘରେ ଚଢ଼ାଉ କରାଯାଇ ୧ କୋଟି ଟଙ୍କା ଜବତ କରାଯାଇଥିଲା | ଏହି ଟଙ୍କା ସେ କୋଉଠୁ ପାଇଲେ ସେ ନେଇ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଟଙ୍କା ଜବତ କରାଯାଇଛି | ତେବେ କେବଳ ଡ୍ରାଇଭର ନୁହେଁ ବିଧାୟକଙ୍କ ଦୁଇ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି |

ଚନ୍ଦ୍ରଶେଖର ୨୦୦୮ ମସିହାରୁ ମାନାପରାଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବାବେଳେ ତାଙ୍କ ବିରୋଧରେ ଏଥର ଏମକେଏମର ପ୍ରଦେଶ ମହାସଚିବ ପି.ଅବଦୁଲ ସମଦ ନିର୍ବାଚନ ଲଢ଼ୁଛନ୍ତି | ନିର୍ବାଚନ ତାରିଖ ଘୋଷଣା ହେବା ପରେ ତାମିଲନାଡୁର ବିଭିନ୍ନ ସ୍ଥାନରୁ ବହୁ ମାତ୍ରରେ ନଗଦ ଟଙ୍କା ଜବତ କରାଯାଇଛି।

ସମ୍ବନ୍ଧିତ ଖବର