କାଠମାଣ୍ଡୁ: ବେଳେବେଳେ ମାଙ୍କଡମାନେ ମଣିଷ ପରି ଆଚରଣ କରିବା ଆରମ୍ଭ କରନ୍ତି | ଆପଣ ଅନେକ ସମୟରେ ଦେଖିଥିବେ ଯେ ଜଣେ ବ୍ୟକ୍ତି ପ୍ରଚୁର ମଦ୍ୟପାନ କରିବା ପରେ କିଭଳି ହରକତ କରିଥାନ୍ତି | ମନେ ମନେ ଗୁଣୁଗୁଣୁ ହେବା ସହ ଗାଳିଗୁଲଜ କରିଥାନ୍ତି | ବେଳେବେଳେ ତ ମାନସିକ ସନ୍ତୁଳନ ବି ହରାଇଥାନ୍ତି ଓ ଅଘଟଣ ଘଟାଇବସନ୍ତି | ବର୍ତ୍ତମାନ ଏକ ମାଙ୍କଡ଼ ମଦ ପିଇ ଏପରି କିଛି କରିଛି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ନିଶାସକ୍ତ ମାଙ୍କଡ଼ କିଛି ମାସ ମଧ୍ୟରେ ହଜାର ହଜାର ଲୋକଙ୍କ ଉପରେ ଆକ୍ରମଣ କରିଥିଲା। ନେପାଳର ରାଜଧାନୀ କାଠମାଣ୍ଡୁରୁ ଏହି ଘଟଣା ସାମ୍ନାକୁ ଆସିଛି। କାଠମାଣ୍ଡୁରେ ଥିବା ଶୁକ୍ରରାଜ ଟ୍ରପିକାଲ୍ ହସପିଟାଲରେ ଏବେ ବହୁ ସଂଖ୍ୟକ ଲୋକ ଭର୍ତ୍ତି ହୋଇଛନ୍ତି | ଯେଉଁମାନେ ମାଙ୍କଡ଼ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ |
ଏହି ଆକ୍ରମଣରେ ଜଣେ ନଅ ବର୍ଷର ଶିଶୁ ମଧ୍ୟ ଅଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା ଯେ ଗତ ଦୁଇ ତିନି ମାସ ମଧ୍ୟରେ କେବଳ ଗୋଟିଏ ମାଙ୍କଡ ୪୦୦୦ ଲୋକଙ୍କ ଉପରେ ଆକ୍ରମଣ କରିଛି। ବାସ୍ତବରେ, କୁହାଯାଉଛି ଯେ ମାଙ୍କଡ଼ଟି ନିୟମିତ ଏକ ମଦ ଦୋକାନକୁ ଯାଉଥିଲା | ସେଠାରେ କିଛି ଲୋକ ମାଙ୍କଡଟିକୁ ନିୟମିତ ମଦ ପିଇବାକୁ ଦେଉଥିଲେ | ଏହାପରେ ମାଙ୍କଡଟି ହିଂସ୍ର ପାଲଟିଯାଇଥିଲା ଓ ଯାହାକୁ ଦେଖିଲା ତାଙ୍କୁ ଆକ୍ରମଣ କରିଥିଲା | ନେପାଳ ସରକାରଙ୍କ ତଥ୍ୟ ଅନୁଯାୟୀ, କୁକୁର କାମୁଡ଼ିବା ପରେ ନେପାଳରେ ମାଙ୍କଡ଼ କାମୁଡ଼ିବା ଦ୍ୱାରା ଅଧିକାଂଶ ଲୋକ ପ୍ରତିବର୍ଷ ଆହତ ହୋଇଥାନ୍ତି | ନେପାଳରେ ଜୁଲାଇ ଏବଂ ଅଗଷ୍ଟ ମାସରେ ସର୍ବାଧିକ ମାଙ୍କଡ଼ କାମୁଡ଼ା ଘଟଣା ସାମ୍ନାକୁ ଆସିଥାଏ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/f9ddd37f-9f13-4d94-8338-acb66baaa376.jpg)