ଦିଲ୍ଲୀକୁ ମାଙ୍କଡ ମୁକ୍ତ କରିବା ପାଇଁ ପ୍ରଥମ ଥର ହେବ ଜନଗଣନା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ମାଙ୍କଡଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମାଙ୍କଡ଼ଙ୍କ ଜନଗଣନା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ପଛର କାରଣ ଦିଲ୍ଲୀକୁ ମାଙ୍କଡ଼ମୁକ୍ତ କରାଯିବ ବୋଲି କୁହାଯାଉଛି। ଏହି ଯୋଜନାରେ ଡେରାଡୁନ୍‌ର ଓ୍ଵାଇଲଡ ଲାଇଫ୍‌ ଇଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବି ସାହାଯ୍ୟ କରିବ।

ଦିଲ୍ଲୀରେ ମଙ୍କଡ଼ମାନଙ୍କୁ ଧରିବା ପାଇଁ ଏଯାବତ୍‌ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଲାଣି। ୨୦୦୭ରେ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ମାଙ୍କଡ଼ ଧରିବା ନେଇ ଆଦେଶ ଦେଇଥିଲେ। ଏମିତି କି ୨୩,୦୦୦ ମାଙ୍କଡ଼ଙ୍କୁ ଓସୋଲା ବତୀ ଅଭୟାରଣ୍ୟରେ ଛଡା ଯାଇଥିଲା କିନ୍ତୁ ଏବେ ପୁଣି ମାଙ୍କଡ଼ଙ୍କ ସମସ୍ୟା ଦେଖିବାକୁ ମିଳୁଛି।

କୋର୍ଟଙ୍କ କହିବାନୁସାରେ, ମାଙ୍କଡକୁ ଧରିବା ପାଇଁ ପିଞ୍ଜରା ବ୍ୟବସ୍ଥା କରାଯିବା ଦରକାର। ଏଥିସହିତ ନଗରନିଗମ ଏହାକୁ ଅଲଗାଅଲଗା ସ୍ଥାନରେ ରଖିବେ। ଏହି ମାଙ୍କଡ଼ମାନଙ୍କୁ ଧରିବା ପରେ ଓସୋଲା ବନ୍ୟଜୀବ ଅଭୟାରଣ୍ୟକୁ ପଠାଯିବ। ଏଥିସହିତ ମାଙ୍କଡ଼ଙ୍କ ପାଇଁ ବନବିଭାଗଙ୍କୁ ଭୋଜନ ଉପଳବ୍ଧ କରାଇବାକୁ ବି ନିର୍ଦ୍ଦେଶ ଦେଇଥିଲେ। ଫଳରେ ମାଙ୍କଡ଼ମାନ ଆଉ ଜନଗହଳିପୂର୍ଣ ସ୍ଥାନକୁ ଯିବେ ନାହିଁ। ରିପୋର୍ଟ ଅନୁସାରେ, ଗତବର୍ଷ ମାଙ୍କଡ଼ କାମୁଡାରେ ୯୫୦ଟି ମାମଲା ସାମ୍ନାକୁ ଆସିଥିଲା। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର