ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଏକ ଗାଁରେ ମାଙ୍କଡ଼ର ଅନ୍ତିମ ସଂସ୍କାରରେ ହଜାର ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଅନ୍ତିମ ସଂସ୍କାରରେ ସାମିଲ ହେବା ଗ୍ରାମବାସୀଙ୍କୁ ମହଙ୍ଗା ପଡ଼ିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାର ଦଲପୁରା ଗାଁରେ ଏକ ମାଙ୍କଡ଼ ସବୁବେଳେ ଆତଜାତ କରୁଥିଲା। ଏହି କାରଣରୁ ଗ୍ରାମବାସୀ ତାକୁ ଖାଇବା ପିଇବାକୁ ଦେବା ସହ ସ୍ନେହ ବି କରୁଥିଲେ। ଡିସେମ୍ବର ୨୯ ରେ ଉକ୍ତ ମାଙ୍କଡ଼ର ମୃତ୍ୟୁ ହୋଇଯାଇଥିଲା। ମାଙ୍କଡ଼ର ମୃତ୍ୟୁ ପରେ ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାପରେ ଗ୍ରାମବାସୀ ଏକତ୍ରିତ ହୋଇ ମାଙ୍କଡ଼ର ଅନ୍ତିମ ସଂସ୍କାର କରିଥିଲେ।
ଏହି ଅନ୍ତିମ ସଂସ୍କାର ସମ୍ପର୍କରେ ସୂଚନା ପାଇବା ପରେ କରୋନା ପ୍ରୋଟୋକଲ ଉଲ୍ଲଂଘନ କରିଥିବା ନେଇ ଜିଲ୍ଲା ପ୍ରଶାସନ ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଭୟରେ ଗ୍ରାମବାସୀ ଏଣେତେଣେ ଲୁଚି ରହିଛନ୍ତି।
ଦ୍ରୁତଗତିରେ ଓମିକ୍ରନ ଭାରିଏଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସମଗ୍ର ରାଜ୍ୟରେ ଧାରା ୧୪୪ ଲାଗୁ କରିଛନ୍ତି। ଯାହା ଅଧୀନରେ ବିନା ଅନୁମତିରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବା ନେଇ ନିଷେଧାଦେଶ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାଭାଇରସର ୨୩୧୭ ଟି ନୂଆ ମାମଲା ସାମ୍ନାକୁ ଆସିଛି। ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୮,୫୯୯ ରହିଛି।