୨୦୦ ଟପିଲା ମଙ୍କିପକ୍ସ ମାମଲା: ୨୦ ରାଷ୍ଟ୍ରକୁ ବ୍ୟାପିଲାଣି, ଭାରତରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି

ନୂଆଦିଲ୍ଲୀ : ୨୦ଟି ରାଷ୍ଟ୍ରକୁ ମଙ୍କିପକ୍ସ ସଂକ୍ରମଣ ମାମଲା ବ୍ୟାପିଛି ଏବଂ ବିଶ୍ବରେ ମୋଟ୍‌ ମଙ୍କିପକ୍ସ ମାମଲା ସଂଖ୍ୟା ୨୦୦ ଟପିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) କହିଛି। ଅଧିକାଂଶ ମଙ୍କିପକ୍ସ ମାମଲା ୟୁ‌ରୋପରୁ ଚିହ୍ନଟ ହୋଇଛି। ମଙ୍କିପକ୍ସ ଭାଇରସ୍‌କୁ ନେଇ ସତର୍କତା ଅବଲମ୍ବନ କରିବାପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମସ୍ତ ରାଷ୍ଟ୍ରକୁ କହିଛଛି। ତେବେ ମଙ୍କିପକ୍ସର ସମ୍ଭାବ୍ୟ ‌ଗୋଷ୍ଠୀ ସଂକ୍ରମଣ ହେଉଥିବାରୁ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ ଚିନ୍ତା ପ୍ରକଟ କରିଛନ୍ତି। ‘ହୁ’ ପକ୍ଷରୁ କୁହାଯାଇଛି ଯେ ଉପଯୁକ୍ତ ପଦକ୍ଷେପ ଦ୍ବାରା ଏହି ଭାଇରସ୍‌କୁ ନିୟନ୍ତ୍ରଣ କରିହେବ। ମଙ୍କିପକ୍ସ ଏକ ସାଧାରଣ ଭାଇରାଲ୍‌ ଇନ୍‌ଫେକସନ୍‌ ଭଳି। ଆଫ୍ରିକୀୟ ରାଷ୍ଟ୍ରରେ ଏହା ସାଧାରଣ ରୋଗରେ ପରିଣତ ହୋଇଛି। କିନ୍ତୁ ୟୁରୋପ୍‌ରେ ଏହା ଯେଭଳି ବ୍ୟାପୁଛି ତାହା ଅତ୍ୟନ୍ତ ଚିନ୍ତାଜନକ।

ଭାରତରେ ଆଜି ପର୍ଯ୍ୟନ୍ତ ମଙ୍ଗିପକ୍ସ ସଂକ୍ରମଣର କୌଣସି ମାମଲା ଚିହ୍ନଟ ହୋଇନଥିଲେ ମଧ୍ୟ ସରକାର ଏ ଦିଗରେ କେତେକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମଙ୍କିପକ୍ସ ଦ୍ବାରା ସଂକ୍ରମିତ ହୋଇଥିବା ଦେଶରୁ ଯେଉଁମାନେ ଭାରତକୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖାଯାଉଛି। ଶିଶୁ ଏବଂ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ମଙ୍କିପକ୍ସ ସଂକ୍ରମଣ ବିପଦ ଅଧିକ ବୋଲି ଆଇସିଏମ୍‌ଆର୍‌ ଅଧିକାରୀ ଅପର୍ଣ୍ଣା ମୁଖାର୍ଜୀ କହିଛନ୍ତି।

ସମ୍ବନ୍ଧିତ ଖବର