ବିଶ୍ବରେ ପୁଣି କାୟା ବିସ୍ତାର କରୁଛି ମଙ୍କିପକ୍ସ, ୩୫ ହଜାର ରୋଗୀ ଚିହ୍ନଟ: ହୁ

ଜେନେଭା: ବିଶ୍ବରେ ପୁଣି କାୟା ବିସ୍ତାର କରିବାରେ ଲାଗିଛି ମଙ୍କିପକ୍ସ। ୯୨ ଦେଶରେ ପ୍ରାୟ ୩୫ ହଜାର ରୋଗୀ ଚିହ୍ନଟ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କୁହାଯାଇଛି। ବୁଧବାର ହୁ ମୁଖ୍ୟ ଡ. ଟେଡ୍ରସ ଅଧାନମ ଘ୍ରେବ୍ରେୟେସୁସ ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ସପ୍ତାହରେ ୭୫୦୦ ରୋଗୀ ଥିବା ରିପୋର୍ଟ ମିଳିଥିଲା। କିନ୍ତୁ ଚଳିତ ସପ୍ତାହରେ ଏହା ୨୦ ପ୍ରତିଶତ ବୃଦ୍ଧି ପାଇ ୩୫ ହଜାରକୁ ଛୁଇଁବା ନିଶ୍ଚିତ ଭାବେ ବିପଦଜନକ। ତେବେ ଏମାନଙ୍କ ଭିତରୁ ୧୨ ଜଣଙ୍କ ଜୀବନ ଯାଇଛି।

ବିଶେଷ କରି ୟୁରୋପ ଓ ଆମେରିକାରେ ଏହି ରୋଗୀ ସଂଖ୍ୟା ଅଧିକ ରହିଛି। ପୁରୁଷ ପୁରୁଷଙ୍କ ମଧ୍ୟରେ ଯୌନ ସମ୍ପର୍କରୁ ଏହି ରୋଗ ବଢ଼ୁଥିବା ଜଣାପଡିବା ପରେ ପ୍ରତ୍ୟେକ ଦେଶ ଏହାକୁ ଗୁରୁତ୍ବ ଦେବା ସହିତ ସେବା ଯୋଗାଣକୁ ବ୍ୟାପକ କରିବାକୁ ହୁ ପକ୍ଷରୁ କୁହାଯାଇଛି। କିନ୍ତୁ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ରରେ କାର୍ଯ୍ୟରତ ଡ. ଡେମାଟ୍ରି ଡାକାଲାକିସ କହିଛନ୍ତି ଯେ, ମଙ୍କିପକ୍ସ ଏକ ଯୌନ ସଂକ୍ରମଣ ରୋଗ ନୁହଁ, ଯେଉଁମାନେ ମଙ୍କିପକ୍ସ ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କ ନିକଟରେ କିଛି ମାତ୍ରାରେ ଯୌନ ଉଦ୍ଦିପନାର ଲକ୍ଷଣ ଦୃଷ୍ଟିଗୋଚର ହେଉଛି। ଯାହା ହେଉନା କାହିଁକି ଏଥିପ୍ରତି ଜାଗ୍ରତ ରହିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର