ମଙ୍କିପକ୍ସକୁ ନେଇ ଗାଇଡଲାଇନ ଜାରି କରିବ ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : କରୋନା ମହାମାରୀ ଶେଷ ହୋଇନଥିବାବେଳେ ମଙ୍କିପକ୍ସ ସାରା ବିଶ୍ବରେ ଆତଙ୍କ ଖେଳାଇ ଦେଇଛି । ଭାରତରେ ଏପର୍ଯ୍ୟନ୍ତ ମଙ୍କିପକ୍ସର କୌଣସି ମାମଲା ଚିହ୍ନଟ ହୋଇନଥିଲେ ବି ତାହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏହି ରୋଗ ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଜାତୀୟ ଗାଇଡଲାଇନ ଜାରି କରିବାକୁ ଯାଉଛି ।

ସାରା ବିଶ୍ବରେ ଏବେ ୨୧୯ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ବ୍ରିଟେନ ସମେତ ୟୁରୋପର ୧୨ରୁ ଅଧିକ ଦେଶରେ ଏହା ଚିହ୍ନଟ ହୋଇଛି । ଏଣୁ ଯେଉଁ ସବୁ ଦେଶରେ ମଙ୍କପକ୍ସ ମାମଲା ଚିହ୍ନଟ ହୋଇଛି, ସେସବୁ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଯେଉଁମାନଙ୍କ ଶରୀରରେ ମଙ୍କିପକ୍ସ ଲକ୍ଷଣ ଦେଖାଦେଇଛି, ସେମାନଙ୍କ ପାଇଁ ଏକ ଏସଓପି (ମାନକ ଆଚରଣବିଧି) ପ୍ରଣୟନ ପାଇଁ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ, ଆଇସିଏମଆର, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଜାତୀୟ. ରୋଗ ନିୟନ୍ତ୍ରଣ କେନ୍ଦ୍ର ପକ୍ଷରୁ ଏକ ବୈଠକ କରାଯାଇଛି ।

ବ୍ରିଟେନରେ ଏପର୍ଯ୍ୟନ୍ତ ସର୍ବାଧିକ ୭୧ଟି ମାମଲା ଚିହ୍ନଟ ହୋଇଛି । ସ୍ପେନରେ ୫୧ଟି ମାମଲା ଓ ପର୍ତ୍ତୁଗାଲରେ ୩୭ଟି ମାମଲା ଚିହ୍ନଟ ହୋଇଛି । କାନାଡାରେ ୧୫ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ ପଶ୍ଚିମ ଓ କେନ୍ଦ୍ରୀୟ ଆଫ୍ରିକାର ୧୨ଟି ଦେଶରେ ଏହା ମହାମାରୀର ରୂପ ନେଇଛି । ତେବେ ଭାରତରେ ଏପର୍ଯ୍ୟନ୍ତ କୌଣିସି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇନାହିଁ ।

 

ସମ୍ବନ୍ଧିତ ଖବର