ସ୍ବାଭାବିକ ସମୟର ୧୨ ଦିନ ପୂର୍ବରୁ ସମଗ୍ର ଭାରତକୁ ଆଚ୍ଛାଦିତ କରିଛି ମୌସୁମୀ ବାୟୁ

ନୂଆଦିଲ୍ଲୀ: ଏ ବର୍ଷ ସ୍ବାଭାବିକ ସମୟର ୧୨ ଦିନ ପୂର୍ବରୁ ମୌସୁମୀ ବାୟୁ ସମଗ୍ର ଦେଶକୁ ଆଚ୍ଛାଦିତ କରିଥିବା କଥା ଶୁକ୍ରବାର ଦିନ ଭାରତର ପାଣିପାଗ ବିଭାଗ କହିଛି। ସାଧାରଣତଃ ଜୁଲାଇ ୮ ତାରିଖ ଦିନ ମୌସୁମୀ ବାୟୁ ଦେଶର ସବୁଆଡ଼କୁ ବ୍ୟାପୀଯାଉଥିବା ବେଳେ ଏଥର ଜୁନ୍ ୨୬ ତାରିଖରେ ତାହା ହୋଇଛି।

୨୦୧୩ ମସିହାରେ ମଧ୍ୟ ଜୁନ୍ ୨୬ ତାରିଖ ପୂର୍ବରୁ ସମଗ୍ର ଦେଶରେ ମୌସୁମୀ ବାୟୁ ପହଞ୍ଚିଯାଇଥିଲା।

Image Courtesy of The Times of India

ଭାରତର ପାଣିପାଗ ବିଭାଗ କହିଛି ଯେ, କେରଳ ଉପକୂଳରେ ପ୍ରବେଶ କରିବାର ୨୬ ଦିନ ପରେ, ଅର୍ଥାତ୍ ଶୁକ୍ରବାର ଦିନ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଅବଶିଷ୍ଟ ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିଛି। ତେଣୁ, ଏଥିଯୋଗୁଁ ସମଗ୍ର ଦେଶରେ ଖରିଫ ଫସଲ ବୁଣିବା ନିମନ୍ତେ ଅନୁକୂଳ ଅବସ୍ଥା ସୃଷ୍ଟି ହୋଇଛି। ଜୁନ୍‌ ମାସରେ ବୃଷ୍ଟିପାତ ମଧ୍ୟ ଭଲ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ କହିଛନ୍ତି। ଏପର୍ଯ୍ୟନ୍ତ ଏ ମାସରେ ସ୍ବାଭାବିକ ଠାରୁ ୨୨% ଅଧିକ ବର୍ଷା ହୋଇଛି।

କିନ୍ତୁ, ମୌସୁମୀ ବାୟୁ ହିମାଳୟ ପାଦଦେଶ, ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସମେତ ଉତ୍ତରପଶ୍ଚିମ ଭାରତର ସମତଳ ଅଞ୍ଚଳ ଦେଇ ପ୍ରବାହିତ ହେଲାବେଳେ ଆସନ୍ତା କେତେ ଦିନ ପାଇଁ ଭଲ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ କହିଛି।

ସମ୍ବନ୍ଧିତ ଖବର