ଏକ ସପ୍ତାହ ବିଳମ୍ବିତ ହେବା ପରେ ଶେଷରେ କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ : ପ୍ରାୟ ଏକ ସପ୍ତାହ ବିଳମ୍ବିତ ହେବା ପରେ ଆଜି ମୌସୁମୀ କେରଳ ଉପକୂଳ ଛୁଇଁଛି। ଏଥିସହ ଭାରତରେ ଆରମ୍ଭ ହୋଇଛି ବର୍ଷାଋତୁ। ଭାରତୀୟ ପାଣିପାଗ ବିଭାଗର ନିଯୁକ୍ତ ଘୋଷିତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଶନିବାର ସୂଚନା ଦେଇଛନ୍ତି କି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ସକ୍ରିୟ ହୋଇଛି। ଏହାର ପ୍ରଭାବରେ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି।

ସାଧାରଣତଃ ଜୁନ୍ ପହିଲା(ଗୋଟିଏ ଦୁଇଟି ଦିନ ଏପାଖ ସେପାଖ)ରେ କେରଳ ଛୁଉଁଥିବା ମୌସୁମୀ ଏଥର ୮ ଦିନ ବିଳମ୍ବରେ ଭାରତ ଭୂଖଣ୍ଡରେ ପ୍ରବେଶ କରିଛି । ଏହାର  ପ୍ରଭାବରେ ଆସନ୍ତା ୧୦ ତାରିଖ ଯାଏ କେରଳ ଓ କର୍ଣ୍ଣାଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ୯ ଓ ୧୦ ତାରିଖ ପାଇଁ କେରଳରେ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

Skymet Weather

ବିଭାଗ ଆହୁରି ପୂର୍ବାନୁମାନ କରିଛି ଯେ ଜୁନ୍ ୯ ବେଳକୁ କେରଳ ଓ କର୍ଣ୍ଣାଟକ ଉପକୂଳ ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଯାହାକି ମୌସୁମୀକୁ ଅଧିକ ସକ୍ରିୟ କରିବା ସହ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହେବ। ଏହି ସମୟ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ। ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ।

ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ପଶ୍ଚିମବଙ୍ଗ ଓ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ। ଉପକୂଳରେ ଘଣ୍ଟାପ୍ରତି ୩୫ରୁ ୪୦ କିମି ବେଗରେ ପବନ ବହିପାରେ। ତେବେ ପଶ୍ଚିମ ଭାରତରେ କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୧୦ ତାରିଖ ଯାଏ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ବିଦର୍ଭରେ ତାପମାତ୍ରା ୪୫ ଡିଗ୍ରି ଉପରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ସମ୍ବନ୍ଧିତ ଖବର