ସ୍ୱାଭାବିକ ମୌସୁମୀର ଅସ୍ୱାଭାବିକତା

ନୂଆଦିଲ୍ଲୀ : ଦେଶରେ ଦକ୍ଷିଣ ପଶ୍ଟିମ ମୋସୁମୀ ବାୟୁ ଏହାର ଶୀର୍ଷ ସମୟ ଜୁଲାଇ-ଅଗଷ୍ଟର ଚୂଡ଼ାନ୍ତ ପାହାଚରେ ଏବେ ଉପନୀତ। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ ହାରାହାରି ୫୭୮.୨ ମିମି. ବୃଷ୍ଟିପାତ ହୋଇଛି ଯାହା କି ସ୍ବାଭାବିକ ବୃଷ୍ଟିପାତ ଠାରୁ ୨ ପ୍ରତିଶତ ଅଧିକ ବୋଲି ପରିସଂଖ୍ୟାନ କହୁଛି। ସୁତରାଂ ଏହି ସାମଗ୍ରିକ ତଥ୍ୟରୁ ଚଳିତ ବର୍ଷ ମୌସୁମୀ ଦେଶରେ ସ୍ବାଭାବିକ ବର୍ଷା କରାଇଛି ବୋଲି ମନରେ ଧାରଣା ଆସିବାଟା ସ୍ବାଭାବିକ କଥା। ମାତ୍ର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ବୃଷ୍ଟିପାତର ଭୀଷଣ ତାରତମ୍ୟ ହିଁ ମୌସୁମୀର ଅସ୍ବାଭାବିକତାକୁ ସ୍ପଷ୍ଟ କରିଛି। ପୂର୍ବ ବର୍ଷମାନଙ୍କରେ ବିଭିନ୍ନ ସ୍ଥାନରେ ନିର୍ଦ୍ଦିଷ୍ଟ ସମୟରେ ହୋଇଥିବା ବୃଷ୍ଟିପାତ ତୁଳନାରେ ଚଳିତବର୍ଷ ମାତ୍ରାଧିକ ପରିବର୍ତ୍ତନ ଦେଖାଯାଇଛି। ସ୍ଥଳବିଶେଷରେ ମୌସୁମୀର ଏହି ଅସ୍ଥାୟୀ ପରିବର୍ତ୍ତନ ବିଭିନ୍ନ ଦିଗରେ ପ୍ରକଟିତ ହୋଇଛି। ପରିଣତି ସ୍ବରୂପ କେଉଁଠି ଜମି ଫାଟି ଗଜା ମରୁଡ଼ି ତ କେଉଁଠି ଆକସ୍ମିକ ବନ୍ୟା ସୃଷ୍ଟି କରିଛି।

ଚଳିତ ବର୍ଷ ମୌସୁମୀ ପୂର୍ବ ଭାରତ, ପଶ୍ଚିମ ତଟ, ଦକ୍ଷିଣ ଉପଦ୍ବୀପ ଅଞ୍ଚଳ ଓ କେନ୍ଦ୍ର ଭାରତରେ ଅନୁକୂଳ ବୃଷ୍ଟି ଆଣିଥିବା ବେଳେ ଉତ୍ତରପୂର୍ବରେ ଏଯାଏ ସମ୍ପୂର୍ଣ୍ଣ ଅନିୟମିତ ରହିଛି। ସେହିପରି ଦେଶର ଉତ୍ତର ଓ ଉତ୍ତରପଶ୍ଚିମ ଭାଗରେ ହାରାହାରି ଠାରୁ କମ୍‌ ବୃଷ୍ଟିପାତ ରହିଛି। ଅଗଷ୍ଟ ୧୩ ଗୁରୁବାର ସୁଦ୍ଧା ଉତ୍ତରପଶ୍ଚିମ ଭାରତରେ ବୃଷ୍ଟିପାତର ୨୧ ପ୍ରତିଶତ ଅଭାବ ପରିଲକ୍ଷିତ ହୋଇଛି। ସେହିପରି ଦକ୍ଷିଣ ଉପଦ୍ବୀପ ଅଞ୍ଚଳରେ ହାରାହାରି ଠାରୁ ୨୩ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି ଯାହା କି ପାଣିପାଗ ଭାଷାରେ ବଳକା ବୃଷ୍ଟି ଭାବେ ବିବେଚିତ। ମୋଟାମୋଟି ଭାବେ ଜୁନ୍‌ରେ ସାରା ଦେଶରେ ସ୍ବାଭାବିକ ବୃଷ୍ଟିପାତ ଠାରୁ ୧୮ ପ୍ରତିଶତ ଅଧିକ ହୋଇଥିଲା। ଅପରପକ୍ଷେ, ଜୁଲାଇ ମାସରେ ଯେତେବେଳେ ବର୍ଷର ସର୍ବାଧିକ ବର୍ଷା ହେବା କଥା, ଚଳିତ ବର୍ଷ ସ୍ବାଭାବିକ ଠାରୁ ୧୦ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି। ବଙ୍ଗୋପସାଗରରେ ସେହି ସମୟରେ ଆବଶ୍ୟକ ବଡ଼ ଧରଣର ଲଘୁଚାପ ଅଭାବରୁ ଏପରି ସ୍ବଳ୍ପ ବର୍ଷା ହୋଇଥିବା ଜଣାଯାଇଛି। ସାଧାରଣତଃ ଜୁଲାଇ ଓ ଅଗଷ୍ଟ ମାସରେ ଅତି କମ୍‌ରେ ଚାରିଟି ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଥାଏ। ଚଳିତ ବର୍ଷ ସେଥିରୁ ଜଳବାୟୁ ବଞ୍ଚିତ ହୋଇଥିବା ବେଳେ ଅଗଷ୍ଟ ପ୍ରଥମ ଦୁଇ ସପ୍ତାହରେ ପ୍ରବଳ ବର୍ଷା ହିଁ କେନ୍ଦ୍ରୀୟ ଅଞ୍ଚଳ ସମେତ ସାରା ଦେଶର ବୃଷ୍ଟିପାତ ଅଭାବକୁ ଭରଣା କରିଦେଇଛି। ତେବେ ଉତ୍ତରପୂର୍ବରେ ସେହି ନିଅଣ୍ଟିଆ ସ୍ଥିତି ଜାରି ରହିଛି।

ସମ୍ବନ୍ଧିତ ଖବର