ନୂଆଦିଲ୍ଲୀ: ଜଳବାୟୁରେ ହେଉଥିବା ପରିବର୍ତ୍ତନ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। କେଉଁଠି ହଠାତ୍ ବର୍ଷା ଓ ବନ୍ୟା ହୋଇ ଧନଜୀବନ କ୍ଷତି ହେଉଛି ତ ଆଉ କେଉଁଠି ଚାଷ ପାଇଁ ଆବଶ୍ୟକ ବର୍ଷା ହେଉନାହିଁ। ଏଲ୍‌ ନିନୋ ପ୍ରଭାବରେ ଭାରତରେ ଚଳିତବର୍ଷ ଅଗଷ୍ଟରେ ଗତ ୧୨୦ ବର୍ଷରୁ ଅଧିକ ସମୟ ମଧ୍ୟରେ ସବୁଠୁ କମ୍ ବର୍ଷା ହେବାର ଆଶଙ୍କା ଦେଖାଦେଇଛି। ପାଣିପାଗ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀ ଏଭଳି ପୂର୍ବାନୁମାନ ୩ ଟ୍ରିଲିୟନ ଡଲାରର ଭାରତୀୟ ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଲାଣି। ୧୯୦୧ ମସିହାରୁ ତଥ୍ୟ ସଂଗ୍ରହ ହେବା ଦିନଠାରୁ ଚଳିତବର୍ଷ ଅଗଷ୍ଟରେ ସବୁଠୁ କମ୍ ବର୍ଷା ହେବା ଅନୁମାନ କରାଯାଉଛି। ଫଳରେ ଖରିଫ ପସଲ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ। ଧାନ ଠାରୁ ଆରମ୍ଭ କରି ସୋୟାବିନ ଆଦିର ଉତ୍ପାଦନ ଏଥିଯୋଗୁ ପ୍ରଭାବିତ ହୋଇପାରେ। ଉତ୍ପାଦନ ହ୍ରାସ ପାଇଲେ ଖାଦ୍ୟ ସାମଗ୍ରୀର ଦରଦାମ ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି।

Advertisment

ଉଲ୍ଲେଖଯୋଗ୍ୟ, ଭାରତର ଚାଷୀଙ୍କ ପାଇଁ ମୌସୁମୀ ବର୍ଷା ଅତ୍ୟନ୍ତ ଗୁରୁତ୍ବ ରଖିଥାଏ। ଚାଷ ସହିତ ଜଳଭଣ୍ଡାର ଆଦି ଭର୍ତ୍ତି ହେବାରେ ମୌସୁମୀ ବର୍ଷାର ଯୋଗଦାନ ପ୍ରାୟ ୭୦ ପ୍ରତିଶତ ରହିଥାଏ। ମୌସୁମୀରେ ଯେଉଁ ମାତ୍ରାରେ ସୁଧାର ଆସିବ ବୋଲି ଆଶା ରଖାଯାଇଥିଲା ତାହା ‌ହେଉନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦକ୍ଷିଣ, ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ମୌସୁମୀ ବର୍ଷାରେ ମାତ୍ରାଧିକ ନିଅଣ୍ଟିଆ ସ୍ଥିତି ଚଳିତବର୍ଷରେ ଦେଖାଦେଇପାରେ ବୋଲି ଅଧିକାରୀ ଜଣକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଚଳିତବର୍ଷ ଅଗଷ୍ଟରେ ହାରାହାରି ୧୮୦ ମିଲିମିଟର (୭ ଇଞ୍ଚ)ରୁ କମ୍‌ ବର୍ଷା ହେବାର ଅନୁମାନ କରାଯାଉଛି। ପାଣିପାଗ ବିଭାଗ ପକ୍ଷରୁ ଅଗଷ୍ଟ ‌ମାସର ବର୍ଷା ଏବଂ ସେପ୍ଟେମ୍ବରର ଆକଳନ ସଂପର୍କରେ ଚଳିତମାସ ୩୧ ତାରିଖ କିମ୍ବା ସେପ୍ଟେମ୍ବର ୧ ତାରିଖରେ ଘୋଷଣା କରାଯାଇପାରେ। ଚଳିତମାସର ପ୍ରଥମ ୧୭ ଦିନରେ ଭାରତରେ ମାତ୍ର ୯୦.୭ ମିଲିମିଟର (୩.୬ ଇଞ୍ଚ) ବର୍ଷା ହୋଇଛି। ଏହା ସ୍ବାଭାବିକ ଠାରୁ ୪୦ ପ୍ରତିଶତ କମ। ଅଗଷ୍ଟ ମାସର ସ୍ବାଭାବିକ ହାରାହାରି ବର୍ଷାର ମାତ୍ରା ହେଉଛି ୨୫୪.୯ ମିଲିମିଟର (୧୦ ଇଞ୍ଚ) ବୋଲି ସେ କହିଛନ୍ତି। ପୂର୍ବରୁ ପାଣିପାଗ ବିଭାଗ ଅଗଷ୍ଟ ମାସ ପାଇଁ ୮ ପ୍ରତିଶତ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ନେଇ ଆକଳନ କରାଯାଇଥିଲା।

ପାଣିପାଗ ବିଭାଗର ଅନ୍ୟ ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଅଗଷ୍ଟରେ ସାଧାରଣତଃ ୫ରୁ ୭ ଦିନ ପାଇଁ ପାଗ ଶୁଷ୍କ ରହିଥାଏ। କିନ୍ତୁ ଚଳିତବର୍ଷ ଅଗଷ୍ଟ ମାସରେ ପାଗ ଅସ୍ବାଭାବିକ ଭାବେ ଅଧିକ ସମୟ ପାଇଁ ଶୁଷ୍କ ରହିଛି। ଚଳିତବର୍ଷ ଜୁନ ମାସରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୦ ପ୍ରତିଶତ କମ୍ ହୋଇଥିବାବେଳେ ଜୁଲାଇରେ ଏହା ହାରାହାରି ଠାରୁ ୧୩ ପ୍ରତିଶତ ଅଧିକ ରହିଥିଲା। ଦେଶରେ ଅଧାରୁ ଅଧିକ ଚାଷଜମିରେ ଜଳସେଚନ ସୁବିଧା ନଥିବାରୁ ମୌସୁମୀ ବର୍ଷା ଚାଷ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଧାନ, ମକା, କପା, ସୋୟାବିନ, ଆଖୁ ଓ ଅନ୍ୟାନ୍ୟ ଫସଲ ଚାଷ ସାଧାରଣତଃ ଜୁନ ମାସରୁ ଆରମ୍ଭ ହୋଇଥାଏ। ଏହି ମାସରେ ପ୍ରାୟତଃ ମୌସୁମୀ କେରଳ ଛୁଇଁ ଦେଶର ବିଭିନ୍ନ ଭାଗକୁ ବ୍ୟାପିଥାଏ। ଦୀର୍ଘଦିନ ଧରି ପାଗ ଶୁଖିଲା ରହିବା ଫଳରେ ମାଟିରେ ଆର୍ଦ୍ରତା ଅଂଶ ଅତିମାତ୍ରାରେ କମିଯାଏ। ଫଳରେ ଫସଲ ବଢ଼ିବାରେ ବାଧା ଦେଖାଦେଇଥାଏ। ବର୍ଷା ନହେଲେ ଫସଲ ଉତ୍ପାଦନ ହ୍ରାସ ପାଇବ ବୋଲି ଟ୍ରେଡିଂ ସଂସ୍ଥା ଆଇଏଲଏ କମୋଡିଟିଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ହରୀଶ ଗଲିପେଲ୍ଲି କହିଛନ୍ତି।