ଗତ ୪ଦିନ ହେଲା ଗୋଟିଏ ସ୍ଥାନରେ ଅଟକିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ : ସ୍କାଏମେଟ୍‌

ନୂଆଦିଲ୍ଲୀ : ଏପର୍ଯ୍ୟନ୍ତ ମୌସୁମୀ ପ୍ରଭାବରୁ ସାରା ଦେଶରେ ଭଲ ବର୍ଷା ହୋଇଛି । ୧ ଜୁନରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବା ପରଠାରୁ ଆଜି ଅର୍ଥାତ ଜୁନ ୨୦ ସୁଦ୍ଧା ଦେଶରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ ଅଧିକ ବର୍ଷା ହୋଇଛି ।

ତେବେ ଗତ କିଛି ଦିନ ଧରି ମୌସୁମୀ ଆଗକୁ ବଢୁନାହିଁ । ଗତ ପ୍ରାୟ ୪-୫ ଦିନ ହେବ ମୌସୁମୀ ଗୋଟିଏ ସ୍ଥାନରେ ଅଟକି ରହିଛି । ଏହାଫଳରେ ପଞ୍ଜାବ ଓ ଦେଶର ଉତ୍ତର-ପଶ୍ଚିମାଞ୍ଚଳରେ ଏବେ ବି ଗ୍ରୀଷ୍ମ ପ୍ରବାହ ଲାଗି ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି । ଗତ ୧୬ ତାରିଖରେ ମୌସୁମୀର ଉତ୍ତରଭାଗଟି କାଣ୍ଡଲା, ଅହମଦାବାଦ, ଇନ୍ଦୋର, ଫତେପୁର ଓ ବହରାଇଚ (ୟୁପି)ରେ ଥିଲା । ସେବେଠାରୁ ମୌସୁମୀ ଆଗକୁ ବଢୁନାହିଁ । ତେବେ ଆସନ୍ତା ଜୁନ ୨୪-୨୫ ବେଳକୁ ମୌସୁମୀ ଆଗକୁ ବଢି ଦିଲ୍ଲୀର ଅବଶିଷ୍ଟ ଅଂଶ, ହରିୟାଣା, ହିମାଚଳପ୍ରଦେଶ ଓ ଜମ୍ମୁ ଓ କଶ୍ମୀର ଛୁଇଁବାର ସମ୍ଭାବନା ରହିଛି ବୋଲି ସ୍କାଏମେଟ କହିଛି ।

ଦେଶର ଦକ୍ଷିଣ ଭାଗରେ ୧୪ ପ୍ରତିଶତ ଅଧିକ ବର୍ଷା ହୋଇଥିବାବେଳେ ଉତ୍ତର-ପୂର୍ବରେ ୮ ପ୍ରତିଶତ ଅଧିକ ବର୍ଷା ହୋଇଛି । ସବୁଠାରୁ ଅଧିକ ବର୍ଷା ହୋଇଛି ଦେଶର ମଧ୍ୟଭାଗରେ । ଏଠାରେ ୮୦ ପ୍ରତିଶତ ଅଧିକ ବର୍ଷା ହୋଇଛି । କିନ୍ତୁ ପାଣିପାଗ ମାନଚିତ୍ର ଅନୁସାରେ ଦେଶର ମଧ୍ୟଭାଗରେ ଆସୁଥିବା ଓଡ଼ିଶା ଓ ବିଦର୍ଭ ଅଞ୍ଚଳରେ କମ ବର୍ଷା ହୋଇଛି ।

ସମ୍ବନ୍ଧିତ ଖବର