ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଦାବି କରିଛି । ସ୍କାଏମେଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କେରଳରେ ଗତ କିଛି ଦିନ ଧରି ବର୍ଷା ଲାଗିରହିଛି । ସବୁ ପ୍ରକାରର ମାନଦଣ୍ଡକୁ ତର୍ଜମା କଲେ ଜଣାପଡ଼ୁଛି କି କେରଳରେ ମୌସୁମୀ ସ୍ପର୍ଶ କରିଛି ।
ସ୍କାଏମେଟ ପକ୍ଷରୁ ଆହୁରି କୁହାଯାଇଛି ଯେ ଓଏଲଆର (ଆଉଟଗୋଇଙ୍ଗ ଲଙ୍ଗ ୱେଭ ରେଡିଏସନ) ଓ ଲାଗିରହିଥିବା ବର୍ଷାକୁ ବିଚାରକୁ ନେଲେ ତାହା ମୌସୁମୀର ଆଗମନକୁ ପ୍ରମାଣିତ କରୁଛି । ପୂର୍ବରୁ ସ୍କାଏମେଟ କହିଥିଲା ଯେ ମେ ୨୮ରେ ମୌସୁମୀ କେରଳ ଛୁଇଁବ । କିନ୍ତୁ ଏହି ପୂର୍ବାନୁମାନ ଅନୁସାରେ ଦୁଇଦିନ ବିଳମ୍ବରେ ମୌସୁମୀ ପହଞ୍ଚିଛି ।
ତେବେ ଭାରତୀୟ ପାଣିପାଗ ବିଭାଗ ଏପର୍ଯନ୍ତ ମୌସୁମୀ କେରଳ ଛୁଇଁବା ବିଷୟ ସ୍ପଷ୍ଟ କରିନାହିଁ । ଦୁଇଦିନ ତଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ଆସନ୍ତା ଜୁନ ୧ରେ ଦକ୍ଷିଁଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ।
ଏବର୍ଷ ଦକ୍ଷିଁଣ-ପଶ୍ଚିମ ମୌସୁମୀ ପ୍ରବାହ ସ୍ବାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଇଛି । କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ସ୍ବାଭାବିକ ବର୍ଷା ସରକାରଙ୍କ ପାଇଁ ଖୁସି ଖବର ଆଣିଦେଇଛି । ଦେଶର ଏକ ବଡ଼ଭାଗ ଚାଷ ଉପରେ ନିର୍ଭର କରୁଥିବାରୁ ମୌସୁମୀ ପ୍ରବାହ ସମଗ୍ର ଦେଶର ଅର୍ଥନୀତିକୁ ପ୍ରଭାବିତ କରିଥାଏ।