ଆସନ୍ତା ୩ ଦିନରେ କର୍ଣ୍ଣାଟକ ଛୁଇଁବ ମୌସୁମୀ ; କେରଳ, ତାମିଲନାଡୁରେ ପ୍ରବଳ ବର୍ଷା ଜାରି

ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ମୌସୁମୀ ଗତ କାଲି କେରଳ ଛୁଇଁବା ପରେ ଆଜି ରାଜ୍ୟର ଆଉ କିଛି ଅଂଚଳକୁ ଅଗ୍ରଗତି କରିଛି । ସୋମବାର ସୁଦ୍ଧା ମୌସୁମୀର ଉତ୍ତର ସୀମା ପଲକ୍କଡ ଓ କୁନ୍ନୁର ଉପରେ ରହିଥିଲା । ଏହାର ପ୍ରଭାବରେ କେରଳ ଓ ତାମିଲନାଡୁରେ ବର୍ଷା ଜାରି ରହିଛି ଓ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି  ।

ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମିର ଗତି ସନ୍ତୋଷଜନକ ରହିଛି ଓ ଆସନ୍ତା ୩-୪ ଦିନରେ ଏହା କେରଳର ଅବଶିଷ୍ଟ ଅଂଶ, ତାମିଲନାଡ଼ୁର ଆଉ କିଛି ଅଂଶ, ଦକ୍ଷିଣ କର୍ଣ୍ଣାଟକର କିଛି ଅଂଶ, ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କିଛି ଅଂଶ, ଉତ୍ତର-ପୂର୍ବ ବଙ୍ଗୋପସାଗରର ଆଉ କିଛି ଅଂଶ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଆଉ କିଛି ଅଂଶକୁ ଛୁଇଁବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ ଗତ କାଲି ଦକ୍ଷିଣ-ପଶ୍ତିମ ମୌସୁମି କେରଳ ଛୁଇଁଥିଲା । ପୂର୍ବରୁ ଆଇଏମଡି କହିଥିଲା ଯେ ଏବର୍ଷ ମୌସୁମି ସ୍ବାଭାବିକ ସମୟଠାରୁ ପ୍ରାୟ ୫ ଦିନ ଆଗୁଆ ଅର୍ଥାତ ମେ ୨୭ରେ କେରଳ ଛୁଇଁବ। କିନ୍ତୁ ପରେ ମୌସୁମିର ଗତି ସ୍ଥିର ଧୀମା ହେବା ପରେ ଏହା ୨ ଦିନ ବିଳମ୍ବ ଅର୍ଥାତ ମେ ୨୯ରେ କେରଳ ଛୁଇଁଥିଲା । ମୌସୁମିର ଏହି ଗତି ଜାରି ରହିଲେ ଆସନ୍ତା ୧୦ ତାରିଖ ବେଳକୁ ତାହା ଓଡ଼ିଶାର ପହଞ୍ଚିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଗତ ମେ ୧୬ରେ ମୌସୁମି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁଥିଲା ।

ସମ୍ବନ୍ଧିତ ଖବର