ମୌସୁମୀ ଅଧିବେଶନ: ଆଉ ଏକ ସପ୍ତାହ ଧୋଇଗଲା

ସାଂସଦମାନେ ତଦନ୍ତକାରୀ ସଂସ୍ଥାର ସମନ ଏଡ଼ାଇ ପାରିବେନି : ନାଇଡୁ

ନୂଆଦିଲ୍ଲୀ : ସଂସଦରେ ମୌସୁମୀ ଅଧୀବେଶନର ୧୫ତମ କାର୍ଯ୍ୟଦିବସରେ ମଧ୍ୟ କୌଣସି କାର୍ଯ୍ୟ ସୁରୁଖୁରୁରେ ହୋଇପାରିନି। ଉଭୟ ଗୃହରେ ହୋହଲ୍ଲା ଏବଂ ହଟ୍ଟଗୋଳ ଜାରି ରହିବାରୁ ଅଚଳାବସ୍ଥା ଉପୁଜିଥିଲା ଏବଂ ବାରମ୍ବାର ମୁଲତବି ରହିଥିଲା। ଏଥି ସହିତ ମୌସୁମୀ ଅଧିବେଶନର ଆଉ ଏକ ସପ୍ତାହ ମଧ୍ୟ ବଳି ପଡ଼ିଯାଇଛି। ଶୁକ୍ରବାର ଦିନ କଂଗ୍ରେସ ସାଂସଦ ମାନେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କ ଉପସ୍ଥିତିରେ ସଂସଦ ଭବନ ପରିସରରେ ଆନ୍ଦୋଳନ କରିଛନ୍ତି। କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇପାରୁନଥିବାରୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଶୁକ୍ରବାର ଦିନ ବିରୋଧୀ ସାଂସଦଙ୍କୁ ଆଲୋଚନାରେ ଭାଗ ନେବାପାଇଁ ଅନୁରୋଧ କରିଛନ୍ତି। ବିରୋଧୀ ସାଂସଦମାନେ ଗୃହରେ ଶାଳୀନତା ରକ୍ଷା କରିବାପାଇଁ ବିର୍ଲା କହିଛନ୍ତି। ଶୁକ୍ରବାର ଅପରାହ୍ନରେ ଗୃହ ମୁଲତବି କରିବା ପୂର୍ବରୁ ବିର୍ଲା କହିଥିଲେ, ଏହା ସଂସଦ ଏବଂ ଆପଣମାନଙ୍କୁ ଏଠାକୁ ଲୋକଙ୍କ ପ୍ରସଙ୍ଗ ଉଠାଇବାପାଇଁ ପଠାଯାଇଛି। କିନ୍ତୁ ଆପଣମାନେ ଏଠାକୁ ଆନ୍ଦୋଳନରେ ଭାଗ ନେବାକୁ ଆସୁଛନ୍ତି। ଗୃହରେ ଏଭଳି କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ବିର୍ଲା କହିଛନ୍ତି। ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ମୁଲତବି ରଖାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଶୁକ୍ରବାର ଦିନ ରାଜ୍ୟସଭାରେ ସୂଚନା ଦେଇ କହିଛନ୍ତି ଯେ ଦେଶରେ ଏମବିବିଏସ୍‌ ଆସନ ସଂଖ୍ୟା ୮ ବର୍ଷରେ ୫୧,୦୦୦ରୁ ୧ ଲକ୍ଷକୁ ବୃଦ୍ଧି ପାଇଛି। ‘ସ୍ବାସ୍ଥ୍ୟ ଅଧିକାର ବିଲ୍‌ ୨୦୨୧’ ଉପରେ ଆଲୋଚନା ଶେଷ ହେବାପରେ ଏକ ପ୍ରଶ୍ନର ଉତ୍ତର ଦେଇ ମାଣ୍ଡଭୀୟ ଏହି ସୂଚନା ଦେଇଛନ୍ତି।

ସାଂସଦମାନେ ତଦନ୍ତକାରୀ ସଂସ୍ଥାର ସମନ ଏଡ଼ାଇ ପାରିବେନି : ନାଇଡୁ
ନୂଆଦିଲ୍ଲୀ : ସଂସଦ ଅଧିବେଶନ ଚାଲିଥିବାବେଳେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଗତକାଲି ଇଡି ସମନ କରିଥିଲା। ତେବେ ଅଧିବେଶନ ସମୟରେ କଂଗ୍ରେସ ସାଂସଦଙ୍କ ଇଡି ସମନକୁ ଜୋରଦାର ବିରୋଧ କରାଯାଇଛି। ତେଣୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁ ଆଜି ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ନାଇଡୁ କହିଛନ୍ତି, ସାଂସଦମାନେ ଅଧିବେଶନ ଚାଲିଥିବାବେଳେ ତଦନ୍ତକାରୀ ସଂସ୍ଥାର ସମନକୁ ସାଂସଦମାନେ ଏଡ଼ାଇ ପାରିବେ ନାହିଁ। ଅପରାଧିକ ମାମଲାରେ ସାଂସଦମାନଙ୍କୁ ସମନ କରାଯିବ। ଆଇନ ଏବଂ ନ୍ୟାୟିକ ପ୍ରକ୍ରିୟାକୁ ସମ୍ମାନ ଦେବା ଆମ କର୍ତ୍ତବ୍ୟ। ନାଇଡ଼ୁ କହିଛନ୍ତି, ସଂସଦ ଚାଲିଥିବାବେଳେ ସାଂସଦମାନଙ୍କର ଅପରାଧିକ ମାମଲାରେ ଗିରଫରୁ ବର୍ତ୍ତିବା ଭଳି କୌଣସି ସ୍ବତନ୍ତ୍ର ଅଧିକାର ନାହିଁ। ତେଣୁ ସେମାନେ ସମନକୁ ଏଡ଼ାଇ ପାରିବେନି।

ସମ୍ବନ୍ଧିତ ଖବର