ମୌସୁମୀ ଅଧିବେଶନ: ପଞ୍ଚମ ଦିନରେ ବି ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନର ପଞ୍ଚମ କାର୍ଯ୍ୟଦିବସ‌ରେ ବି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅଚଳାବସ୍ଥା ଜାରି ରହିଛି। ଦର ବୃଦ୍ଧି ଏବଂ ଜିଏସ୍‌ଟି ବୃଦ୍ଧି ବିରୋଧରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟରେ ବାଧା ଉପୁଜିଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ଉଭୟ ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା। ପ୍ରବଳ ହୋହଲ୍ଲା ଏବଂ ହଟ୍ଟଗୋଳ ଯୋଗୁଁ ୧୨ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବି ରହିଥିଲା। ୧୨ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ପୁଣି ଥରେ ସମାନ ଅବସ୍ଥା ଲାଗି ରହିବାରୁ ‌ଲୋକସଭାକୁ ଅପରାହ୍ନ ୨ଟା ଏବଂ ରାଜ୍ୟସଭାକୁ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା। ତେବେ ଲୋକସଭାରେ ଆଜି ଇଣ୍ଡିଆନ ଆଣ୍ଟାର୍କଟିକ୍‌ ବିଲ୍‌-୨୦୨୨ ଗୃହୀତ ହେବାପରେ ଗୃହ କାର୍ଯ୍ୟ ସ୍ଥଗିତ ରହିଥିଲା। ଆସନ୍ତା ସୋମବାର ଅପରାହ୍ନ ୨ଟାରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବ। ସୋମବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଥିବାରୁ ଗୃହକାର୍ଯ୍ୟ ବିଳମ୍ବରେ ଆରମ୍ଭ ହେବ।

ଅନ୍ୟପକ୍ଷେ ଆଜି କଂଗ୍ରେସ ସାଂସଦଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ସଂସଦ ଭବନ ପରିସରରେ ଆନ୍ଦୋଳନ କରିଛନ୍ତି। ଦର ବୃଦ୍ଧି ଏବଂ ଜିଏସ୍‌ଟି ବୃଦ୍ଧିକୁ ବିରୋଧ କରି ସେମାନେ ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ଲୋକଙ୍କ ସ୍ବର ନଶୁଣିବା ପର୍ଯ୍ୟନ୍ତ ଆମେ ଅଟକିବୁ ନାହିଁ ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି। ତେବେ ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହ ବିରୋଧୀଙ୍କ ଆନ୍ଦୋଳନ ଏବଂ ହଟ୍ଟଗୋଳ ଯୋଗୁଁ ଧୋଇ ଯାଇଛି।

ସମ୍ବନ୍ଧିତ ଖବର