ମୌସୁମୀ ଅଧିବେଶନରେ ବିଜେଡି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଥିବା ବେଳେ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ଅନେକ ପ୍ରସଙ୍ଗକୁ ବିଜେଡି ଉଭୟ ଗୃହରେ ଉପସ୍ଥାପନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ଟିଡିପି, କଂଗ୍ରେସ ସମେତ ବିରୋଧୀ ଦଳମାନଙ୍କ ଦ୍ୱାରା ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନା ଦ୍ୱାରା ଓଡ଼ିଶାକୁ କୌଣସି ସୁଫଳ ମିଳିବନାହିଁ ବୋଲି ଦର୍ଶାଇ ବିଜେଡି ଦ୍ୱାରା କକ୍ଷତ୍ୟାଗ କରାଯାଇଥିଲା। ବିଜେଡିର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିବାବେଳେ କଂଗ୍ରେସ, ବାମଦଳ ଏପରିକି ବିଜେପି ମଧ୍ୟ ବିଜେଡିର ଏଭଳି ଆଭିମୁଖ୍ୟକୁ ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା। ସେହିପରି ଚଳିତ ମୌସୁମୀ ଅଧିବେଶନରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ମଧ୍ୟ ବିଜେଡିର ଆଭିମୁଖ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ହୋଇଥିବା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ବିଜେଡି ସମର୍ଥନ କରିଥିଲା, ଯାହା ଜାତୀୟ ରାଜନୀତିରେ ବେଶ୍‌ ଆଲୋଚନାର ବିଷୟ ପାଲଟିଛି। ବିଜେଡିର ୯ ଜଣ ସଦସ୍ୟଙ୍କ ସମର୍ଥନ ଯୋଗୁଁ ହରିବଂଶଙ୍କ ବିଜୟ ସହଜ ହୋଇଯାଇଥିଲା।

ଉଲ୍ଲେଖଯୋଗ୍ୟ ଚଳିତ ମୌସୁମୀ ଅଧିବେଶନରେ ରାଜ୍ୟସ୍ୱାର୍ଥ ସମ୍ପର୍କିତ ଅନେକ ପ୍ରସଙ୍ଗ ଗୃହରେ ଉପସ୍ଥାପନ କରିବାପାଇଁ ବିଜେଡି ଦ୍ୱାରା ବିଭିନ୍ନ ନିୟମ, ଧ୍ୟାନ ଆକର୍ଷଣକାରୀ ନୋଟିସ୍‌, ସ୍ୱଳ୍ପ ଅବଧି ଆଲୋଚନା, ନିୟମ ୩୭୭ ଅନ୍ତର୍ଗତ ନୋଟିସ୍‌ ଦିଆଯାଇଥିଲା। ଲୋକସଭାରେ ପୋଲାଭରମ ପ୍ରକଳ୍ପ ସମ୍ପର୍କିତ ଆଲୋଚନା ପାଇଁ ଧ୍ୟାନ ଆକର୍ଷଣକାରୀ ନୋଟିସ୍‌ ଦିଆଯାଇଥିଲା ଯାହାକୁ ଲୋକସଭା ବାଚସ୍ପତି ଖାରଜ କରିଦେଇଥିଲେ। ରାଜ୍ୟସଭାରେ ବିଜେଡିର ଧାନର ଏମ୍‌ଏସପି ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ଦିଆଯାଇଥିବା ନୋଟିସ୍‌କୁ ରାଜ୍ୟସଭା ଉପସଭାପତି ଗ୍ରହଣ କରିଥିଲେ। ତିନି ଥର ସ୍ୱଳ୍ପ ଅବଧି ଆଲୋଚନା ଦ୍ୱାରା ତାରିଖ ଧାର୍ଯ୍ୟ କରାଯାଇଥିଲା। ପ୍ରଥମ ଥର ପାଇଁ ବିଜେଡିର ୩ ଜଣ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ , ପ୍ରତାପ କେଶରୀ ଦେବ ଓ ଏନ୍‌ ଭାସ୍କର ରାଓଙ୍କ ନାମ ଆଲୋଚନାରେ ଭାଗ ନେବାପାଇଁ ସାମିଲ୍‌ କରାଯାଇଥିଲା। କିନ୍ତୁ ତୃଣମୂଳ କଂଗ୍ରେସ ସାଂସଦଙ୍କ ଲଗାତାର ହଙ୍ଗାମା ଯୋଗୁଁ ଏହି ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା ହୋଇ ପାରିନଥିଲା। ଏହାଦ୍ୱାରା ବିଜେଡି ସାଂସଦମାନେ ନିରାଶ ହୋଇଥିଲେ।

ଚଳିତ ମୌସୁମୀ ଅଧିବେଶନରେ ବିଜେଡି ବିଭିନ୍ନ କାରଣରୁ ଚର୍ଚ୍ଚାରେ ଥିଲେ ମଧ୍ୟ ଉତ୍କଷ୍ଟ ସାଂସଦ-୨୦୧୭ ପୁରସ୍କାରରେ ଲୋକସଭାର ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରୀ ମହତାବଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ କରାଯିବା ଗୁରୁତ୍ୱପୂର୍ଣ୍ଣ ଥିଲା। ଏତଦ୍‌ବ୍ୟତୀତ ରାଜ୍ୟସଭାକୁ ମନୋନୀତ ସଦସ୍ୟ ରୂପେ ଓଡ଼ିଶୀ ନୃତ୍ୟାଙ୍ଗନା ସେନାଲ ମାନସିଂହ ଓ ସ୍ଥପତି ରଘୁନାଥ ମହାପାତ୍ର ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର