ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ଉଭୟ  ଲୋକସଭା ଓ  ରାଜ୍ୟସଭାକୁ ଆଜି ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରାଯାଇଛି।   ଜୁଲାଇ ୨୧ ତାରିଖରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ଆଜି ଶେଷ ଦିନରେ ମଧ୍ୟ  ଉଭୟ ଗୃହରେ ବିରୋଧୀ ସାଂସଦମାନେ ବିହାର ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ଏବଂ ‘ଭୋଟ୍‌ ଚୋରି’ ଅଭିଯୋଗ ନେଇ ପ୍ରବଳ ହଟ୍ଟଗୋଳ ଓ  ହଙ୍ଗାମା କରିଛନ୍ତି। ଏହି ୨୧ ଦିନର କାର୍ଯ୍ୟ ଦିବସରେ ଲୋକସଭା କେବଳ  ୩୭ ଘଣ୍ଟା କାର୍ଯ୍ୟ କରିଥିବା ବେଳେ ୮୩ ଘଣ୍ଟା ବରବାଦ ହୋଇଛି।  ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଆଜି ରାଜ୍ୟସଭାକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ମୁଲତବୀ କରିବା ସମୟରେ କହିଛନ୍ତି, ଚଳିତ ଅଧିବେଶନରେ ରାଜ୍ୟସଭାରେ କେବଳ ୪୧ ଘଣ୍ଟା ୧୫ ମିନିଟ୍‌ କାର୍ଯ୍ୟ ହୋଇଛି। ଉଲ୍ଲେଖଯୋଗ୍ୟ,  ଆଜି ରାଜ୍ୟସଭାରେ ‌ଶେଷ ଦିନରେ ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ‘ପ୍ରମୋସନ୍‌ ଆଣ୍ଡ୍‌ ରେଗୁଲେସନ୍‌ ଅଫ୍‌ ଅନ୍‌ଲାଇନ ଗେମିଂ ବିଲ୍‌’ ଗୃହୀତ ହୋଇଛି। ବିନା ଆଲୋଚନା‌ରେ ବିଲ୍‌ଟି ରାଜ୍ୟସଭାରେ ଗୃହୀତ ହୋଇଛି।   

Advertisment

ସଂସଦ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ
ଲୋକସଭାରେ ୧୨, ରାଜ୍ୟସଭାରେ ୧୪ ବିଲ୍‌ ଗୃହୀତ
ଲୋକସଭାରେ ୩୭ଘଣ୍ଟା, ରାଜ୍ୟସଭାରେ ୪୧ ଘଣ୍ଟା କାର୍ଯ୍ୟ

ଉଲ୍ଲେଖଯୋଗ୍ୟ,  ସଂସଦର ମୌସୁମୀ ଅଧିବେଶନର ପ୍ରାୟ ସମସ୍ତ କାର୍ଯ୍ୟ ଦିବସ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଧୋଇଯାଇଛି। ଉଭୟ ଗୃହରେ କେବଳ ‘ଅପରେସନ୍‌ ସିନ୍ଦୂର’ ଉପରେ ଆଲୋଚନା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ହୋଇପାରିନାହିଁ।  ବିହାରରେ ଏସ୍‌ଆଇଆର୍‌କୁ ବିରୋଧ କରି ବିରୋଧୀମାନେ ଲଗାତାର ଗୃହରେ ଅଚଳାବସ୍ଥା ସ୍ଥିତି ସୃଷ୍ଟି କରିଥିବାରୁ ଅର୍ଦ୍ଧାଧିକ କାର୍ଯ୍ୟ ଦିବସ ଧୋଇଯାଇଛି। ଆଜି ଶେଷ ଦିନରେ ବ‌ାଚସ୍ପତି ଓମ୍‌ ବିର୍ଲା ଲୋକସଭାରେ କହିଛନ୍ତି, ଚଳିତ ମୌସୁମୀ ଅଧିବେଶନରେ ୧୨୦ ଘଣ୍ଟା କାର୍ଯ୍ୟ ହେବା ପାଇଁ ଯୋଜନା କରାଯାଇଥିଲା, କିନ୍ତୁ ବିଶୃଙ୍ଖଳା ଯୋଗୁ ଏହା ମାତ୍ର   ୩୭ ଘଣ୍ଟାରେ ସୀମିତ ରହିଗଲା।  ବିରୋଧୀ ଦଳ ସାଂସଦମାନେ ଲଗାତାର ବିହାର ଏସ୍‌ଆଇଆର୍‌ ଉପରେ ଆଲୋଚନା ଦାବି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ଏବଂ ଜୋରଦାର ପ୍ରତିବାଦ ପ୍ରଦର୍ଶନ ଯୋଗୁ ଅଚଳାବସ୍ଥା ଜାରି ରହିଥିଲା।

ଲୋକସଭାରେ ଚଳିତ ଅଧିବେଶନରେ ୧୨ଟି ବିଲ୍‌ ଗୃହୀତ ହୋଇଥିବାବେଳେ ରାଜ୍ୟସଭାରେ ୧୪ଟି ବିଲ୍‌ ଗୃହୀତ ହୋଇଛି।  ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି, ଚଳିତ ଅଧିବେଶନରେ ୧୪ଟି ସରକାରୀ ବିଲ୍‌ ଆଗତ ହୋଇଛି ଏବଂ ମୋଟ୍‌ ୧୨ଟି ବିଲ୍‌ ଗୃହୀତ ହୋଇଛି।  ‘ଅପରେସନ୍‌ ସିନ୍ଦୂର’ ଉପରେ ୨ ଦିନର ସ୍ବତନ୍ତ୍ର ଆଲୋଚନା ରଖାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜବାବ ସହ ଏହି ଆଲୋଚନା ଶେଷ ହୋଇଥିଲା। ବାଚସ୍ପତି କହିଛନ୍ତ, ଚଳିତ ଅଧିବେଶନ ପାଇଁ ମୋଟ୍‌ ୪୧୯ଟି  ପ୍ରଶ୍ନ ଏଜେଣ୍ଡାରେ ରଖାଯାଇଥିଲା। କିନ୍ତୁ   ଯୋଜନାବଦ୍ଧ ହଟ୍ଟଗୋଳ ପାଇଁ କେବଳ ୫ ଟି ପ୍ରଶ୍ନର ମୌଖିକ ଭାବେ ଉତ୍ତର ଦିଆଯାଇଛି।  ସମୟ ନଷ୍ଟ ହୋଇଥିବାରୁ ଏବଂ ଗୃହ କାର୍ଯ୍ୟ ଠିକ୍‌ ‌ଭାବେ ହୋଇପାରିନଥିବାରୁ ବାଚସ୍ପତି ଓମ୍‌ ବିର୍ଲା   ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଚସ୍ପତି କହିଛନ୍ତ, ଚଳିତ ଅଧିବେଶନରେ ସଦସ୍ୟମାନେ ଯେଉଁଭଳି ହଟ୍ଟଗୋଳ କରିଛନ୍ତି ଓ  ଭାଷା ବ୍ୟବହାର କରିଛନ୍ତି ତାହା ସଂସଦର ସମ୍ମାନହାନି କରିଛି।  ସଂସଦୀୟ ମର୍ଯ୍ୟାଦା ବଜାୟ ରଖିବା ସମସ୍ତ ସଦସ୍ୟଙ୍କର ଏକ ମିଳିତ ଦାୟିତ୍ବ ବୋଲି ବାଚସ୍ପତି କହିଛନ୍ତି।