ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ନବମ ଦିନରେ ଆଜି ବିରୋଧୀ ଦଳ ସଦସ୍ୟଙ୍କ ଲଗାତାର ହଟ୍ଟଗୋଳ ଓ ସ୍ଲୋଗାନ ଯୋଗୁଁ ସଂସଦର ଉଭୟ ଗୃହକୁ ଆସନ୍ତାକାଲି(ଶୁକ୍ରବାର) ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ନିଜଆଡ଼ୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଘୋଷଣା କରାଯାଇଥିବା ୨୫ ପ୍ରତିଶତ ଶୁଳ୍କ ସଂକ୍ରାନ୍ତରେ ଟିପ୍ପଣୀ ରଖି କହିଛନ୍ତି, ଦେଶ ଏହାର ଜାତୀୟ ସ୍ବାର୍ଥକୁ ସୁରକ୍ଷା ଦେବାପାଇଁ ସମସ୍ତ ଅତ୍ୟାବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଲୋକସଭାରେ ମଧ୍ୟ ଏହି ପ୍ରସଙ୍ଗରେ ମନ୍ତ୍ରୀ ଗୋୟଲ କହିଛନ୍ତି, ଟ୍ରମ୍ପଙ୍କ ନିଷ୍ପତ୍ତିର ପ୍ରଭାବ ଉପରେ ସରକାର ଆକଳନ କରୁଛନ୍ତି। ଦେଶର ସ୍ବାର୍ଥ ସୁରକ୍ଷା ଦିଗରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ମନ୍ତ୍ରୀ ଗୋୟଲ କହିଛନ୍ତି, ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବାର ଧାର୍ଯ୍ୟ ସମୟ ପୂର୍ବରୁ ଏଯାବତ ଆମେରିକା ଏବଂ ଭାରତୀୟ ଅଧିକାରୀଙ୍କ ମଧ୍ୟରେ ୪ଟି ପର୍ଯ୍ୟାୟ କଥାବାର୍ତ୍ତା ହୋଇସାରିଛି। ଆଜି ବିରୋଧୀ ଦଳ ନେତାମାନେ ବିହାରରେ ସାର୍ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ସମେତ ବିଭିନ୍ନ ଦାବି ରଖି ଜୋର୍ଦାର୍ ହଙ୍ଗାମା କରିବାରୁ ଉଭୟ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।
ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବାରମ୍ବାର ହୋହଲ୍ଲା ହେବାରୁ ପୁଣି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଗୁରୁବାର ଘୋଷଣା କରିଛନ୍ତି ଯେ ‘ମୌସୁମୀ ଅଧୀବେଶନରେ ଆମ ପାଖରେ ୧୨୦ ପ୍ରଶ୍ନ ଉଠାଇବା ଏବଂ ୧୨୦ଟି ‘ସ୍ପେସାଲ ମେନ୍ସନ୍’ କରିବା ସୁଯୋଗ ଅଛି। କିନ୍ତୁ କେବଳ ୧୧ଟି ପ୍ରଶ୍ନ, ୩ଟି ପ୍ରଶ୍ନକାଳ ସବମିସନ୍ ଏବଂ ୧୭ଟି ‘ସ୍ପେସାଲ ମେନ୍ସନ୍’ ହୋଇପାରିଛି। ଏହି ସମୟ ମଧ୍ୟରେ ୩୦ ଘଣ୍ଟା ୬ ମିନିଟ୍ ସମୟ ନଷ୍ଟ ହୋଇଛି। ଏହି ସମୟ ସଦସ୍ୟଙ୍କ ସମୟ ଏବଂ ସରକାରଙ୍କ ବିଜ୍ନେସ୍ ଟାଇମ୍ ନୁହେଁ ବୋଲି ହରିବଂଶ କହିଛନ୍ତି। ଅନ୍ୟପକ୍ଷେ ଲୋକସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପୀୟୂଷ ଗୋୟଲ ଟ୍ରମ୍ପଙ୍କ ଶୁଳ୍କ ଉପରେ ଟିପ୍ପଣୀ ଦେବାପରେ ବିରୋଧୀ ସଦସ୍ୟମାନେ ଏହାର ତୀବ୍ର ବିରୋଧ କରି ପାଟିତୁଣ୍ଡ ଜାରି ରଖିଥିଲେ। ଫଳରେ ବାଚସ୍ପତି ଓମ୍ ବିର୍ଲା ଆଜି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ବିହାରରେ ଏସ୍ଆଇଆର୍କୁ ବିରୋଧ କରି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଇଣ୍ଡି ମେଣ୍ଟର ସାଂସଦମାନେ ଆଜି ସଂସଦ ଭବନ ପରିସରରେ ପ୍ରତିବାଦ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ କହିଛନ୍ତି, ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରେ ନକ୍ସଲବାଦ ଶେଷ ହେବ।