ନୂଆଦିଲ୍ଲୀ: ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଲଗାତାର ୫ ଦିନ ଧରି ଅଚଳାବସ୍ଥା ଜାରି ରହିଥିବାରୁ ଆଜି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଏନେଇ ଏକ ସର୍ବଦଳୀୟ ବୈଠକ କରିଛନ୍ତି। ବୈଠକରେ ବାଚସ୍ପତି ଲୋକସଭା ସଦସ୍ୟମାନଙ୍କୁ ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବାକୁ  ଅନୁରୋଧ କରିଥିଲେ।  ସୋମବାରଠାରୁ ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ପାଇଁ ସହମତି ପ୍ରକାଶ ପାଇଛି ବୋଲି ସଂସଦୀୟ ସୂତ୍ରରୁ ଜଣାପଡ଼ିଛି।  ଆଜି ବୈଠକରେ ‘ଅପରେସନ୍‌ ସିନ୍ଦୂର’ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଛି।  

Advertisment

ଅନ୍ୟପକ୍ଷେ ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଆଜି ବିହାରରେ ସାର୍‌ ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ ହୋଇଛି।  ବିରୋଧୀଙ୍କ ସ୍ଲୋଗାନ ଯୋଗୁଁ ଆଜି  ଉଭୟ ଲୋକସଭା ଓ ରାଜ୍ୟସଭାରେ କୌଣସି କାର୍ଯ୍ୟ ହୋଇପାରିନାହିଁ ଏବଂ ଉଭୟଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।  ଲଗାତାର ୫ ଦିନ ଧରି ଗୃହରେ କୌଣସି କାର୍ଯ୍ୟ ହୋଇପାରୁନି।  ଗୁରୁବାର  ଲୋକସଭା ଅପରାହ୍ଣ ୨ଟାରେ ମୁଲତବୀ ‌ହେବା ପୂର୍ବରୁ ମାତ୍ର ୧୫ ମିନିଟ୍‌ କାମ ହୋଇଥିଲା। ସେହିପରି ବୁଧବାର ରାଜ୍ୟସଭା କାର୍ଯ୍ୟ ମାତ୍ର କିଛି ମିନିଟ୍‌ ମଧ୍ୟରେ ବନ୍ଦ ‌ହୋଇଯାଇଥିଲା। 

ସର୍ବଦଳୀୟ ବୈଠକରେ ସହମତି
ସୋମବାରଠାରୁ ସ୍ବାଭାବିକ ଗୃହକାର୍ଯ୍ୟ

ହଟ୍ଟଗୋଳ ମଧ୍ୟରେ  ଲୋକସଭାରେ ଆଜି କାରଗିଲ୍‌ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।  ରାଜ୍ୟସଭାରେ ତାମିଲନାଡ଼ୁର ୪ ଜଣ ନୂଆ ସଦସ୍ୟଙ୍କୁ ଶପଥ ପାଠ କରାଯାଇଥିଲା। ଏମାନଙ୍କ ମଧ୍ୟରେ ଅଭିନେତା-ଫିଲ୍ମନିର୍ମାତା କମଲ ହାସନ ମଧ୍ୟ ଅଛନ୍ତି। ହଟ୍ଟଗୋଳ ଯୋଗୁଁ ଲୋକସଭାରେ (ରିଆଡ୍‌ଜଷ୍ଟମେଣ୍ଟ୍‌ ଅଫ୍‌ ରିପ୍ରେଜେ‌ଣ୍ଟେସନ୍‌ ଅଫ୍‌ ସିଡ୍ୟୁଲ୍‌ଡ ଟ୍ରାଇବ୍‌ସ ଇନ୍‌ ଆସେମ୍ବ୍‌ଲି କନଷ୍ଟିଚୁଏନ୍ସିଜ୍‌ ଅଫ୍‌ ଦି ଷ୍ଟେଟ୍‌ ଅଫ୍‌ ଗୋଆ ବିଲ୍‌) ଉପରେ ଆଲୋଚନା ହୋଇପାରିନାହିଁ।  ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏଥିପାଇଁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ବିରୋଧୀଙ୍କ ବେପରୁଆ କାର୍ଯ୍ୟ ଓ ଅନାବଶ୍ୟକ ବିରୋଧ ଯୋଗୁଁ ଏହି ବିଲ୍‌ ଉପରେ ଆଲୋଚନା ହୋଇପାରୁନି। ସେମାନେ କ’ଣ ଅନୁସୂଚିତ ଜାତିଙ୍କ ବିରୋଧୀ କି ବୋଲି ମେଘୱାଲ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ପଞ୍ଚମ ଦିନର ଅଧିବେଶନ ପରେ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ସୋମବାର  ଗୃହରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍‌ ସିନ୍ଦୂର ଉପରେ ଆଲୋଚନା ହେବ। ଇତିମଧ୍ୟରେ ଜାଣିବାକୁ ମିଳିଛି ଯେ ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ଆଣିବାପାଇଁ ୧୪୫ ଲୋକସଭା ସଦସ୍ୟ ଏବଂ ୬୩ ବିରୋଧୀ ସାଂସଦ ସମ୍ବିଧାନର ଧାରା ୧୨୪, ୨୧୭ ଓ ୨୧୮ ଅଧୀନରେ ସ୍ମାରକପତ୍ର ଦାଖଲ କରିଛନ୍ତି।