ସଂସଦର ମୌସୁମୀ ଅଧିବେଶନ ଆଜି : ପ୍ରଥମ ଦିନରେ ଓଡ଼ିଶାର ୯ ସାଂସଦଙ୍କ ଅଣତାରକା ପ୍ରଶ୍ନ

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। କରୋନା ମହାମାରୀକୁ ଦୃଷ୍ଟିରେ ରଖାଯାଇ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ ପ୍ରଶ୍ନୋତ୍ତର କାଳ ରହିବ ନାହିଁ। ପ୍ରଶ୍ନୋତ୍ତର କାଳ ସହିତ କୌଣସି ପ୍ରାଇଭେଟ୍ ମେମ୍ବର ବିଲ୍ ମଧ୍ୟ ଆଗତ କରାଯିବ ନାହିଁ। କେନ୍ଦ୍ର ସରକାର କେବଳ ସାଂସଦମାନଙ୍କ ଦ୍ବାରା କରାଯାଇଥିବା ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ରଖିବେ। ଆସନ୍ତାକାଲି ଅଧିବେଶନର ପ୍ରଥମଦିନରେ ଓଡ଼ିଶାର ୯ ଜଣ ସାଂସଦଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖିବେ କେନ୍ଦ୍ର ସରକାର। ସେହିଭଳି, ରାଜ୍ୟସଭାରେ ଓଡ଼ିଶାର ୫ ଜଣ ସାଂସଦ ୧୯ଟି ଅଣତାରକା ପ୍ରଶ୍ନ କରିଛନ୍ତି।

ଲୋକସଭା ଓ ରାଜ୍ୟସଭାର ତଥ୍ୟ ଅନୁସାରେ, ଚଳିତ ମୌସୁମୀ ଅଧିବେଶନରେ ପ୍ରଥମ ଦିନରେ ଉଭୟ ଗୃହରେ ସାଂସଦମାନଙ୍କର ୩୯୦ଟି ଅଣତାରକା ପ୍ରଶ୍ନଗୁଡ଼ିକୁ ତାଲିକାଭୁକ୍ତ କରାଯାଇଛି। ସରକାରଙ୍କ ଦ୍ୱାରା ଉଭୟ ଗୃହରେ କାର୍ଯ୍ୟ ଆରମ୍ଭ ହେବା ସମୟରେ ଅଣତାରକା ପ୍ରଶ୍ନ ଗୁଡ଼ିକର ଲିଖିତ ଉତ୍ତର ଉପସ୍ଥାପନ କରାଯିବ। ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ୧୩ଟି ମନ୍ତ୍ରାଳୟ ସମ୍ବନ୍ଧିତ ୧୬୦ଟି ଅଣତାରକା ପ୍ରଶ୍ନ ରହିଥିବାବେଳେ ଲୋକସଭାରେ ୧୦ଟି ବିଭିନ୍ନ ମନ୍ତ୍ରାଳୟ ସମ୍ବନ୍ଧିତ ୨୩୦ଟି ଅଣତାରକା ପ୍ରଶ୍ନ ରହିଛି।

ଲୋକସଭାରେ ଓଡ଼ିଶାର ସମୁଦାୟ ୨୦ ଜଣ ସାଂସଦଙ୍କ ମଧ୍ୟରୁ ପ୍ରଥମ ଦିନରେ (ସେପ୍ଟେମ୍ବର ୧୪) ୯ ଜଣ ସାଂସଦ ବିଭିନ୍ନ ପ୍ରସଙ୍ଗରେ ମୋଟ ୧୬ଟି ଅଣତାରକା ପ୍ରଶ୍ନ କରିଛନ୍ତି। ଅଣତାରକା ପ୍ରଶ୍ନ କରିଥିବା ସାଂସଦମାନେ ହେଲେ, ବିଜେଡିର ଅଚ୍ୟୁତ ସାମନ୍ତ, ପ୍ରମିଳା ବିଶୋୟୀ, ଚନ୍ଦ୍ରଶେଖର ସାହୁ, ପିନାକୀ ମିଶ୍ର, ମହେଶ ସାହୁ ଓ ଭର୍ତ୍ତୃହରି ମହତାବ ଏବଂ ବିଜେପିର ସଙ୍ଗୀତା କୁମାରୀ ସିଂହଦେଓ, ବସନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀ। ସର୍ବାଧିକ ୪ଟି ପ୍ରଶ୍ନ ସଙ୍ଗୀତା କୁମାରୀ ସିଂହଦେଓଙ୍କର ରହିଛି। ଏଥିରୁ ୫ ଜଣ ସାଂସଦ କରୋନା ମହାମାରୀ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି।

ଅପରପକ୍ଷେ ରାଜ୍ୟସଭାରୁ ଓଡ଼ିଶାର ୧୦ ଜଣ ସାଂସଦମାନଙ୍କ ମଧ୍ୟରୁ ବିଜେଡିର ୫ ଜଣ ସାଂସଦ ବିଭିନ୍ନ ପ୍ରସଙ୍ଗରେ ସମୁଦାୟ ୧୯ଟି ଅଣତାରକା ପ୍ରଶ୍ନ କରିଛନ୍ତି। ଡଃ ଅମର ପଟ୍ଟନାୟକ, ଡଃ ସସ୍ମିତ ପାତ୍ର, ପ୍ରଶାନ୍ତ ନନ୍ଦ, ପ୍ରସନ୍ନ ଆଚାର୍ଯ୍ୟ ଓ ଭାସ୍କର ରାଓଙ୍କ ଦ୍ୱାରା ଅଣତାରକା ପ୍ରଶ୍ନ କରାଯାଇଛି। ପ୍ରଶାନ୍ତ ନନ୍ଦଙ୍କ ନାମରେ ସର୍ବାଧିକ ୫ଟି ପ୍ରଶ୍ନ ରହିଛି। ହେଲେ ୫ ରାଜ୍ୟସଭା ସଦସ୍ୟଙ୍କଦ୍ୱାରା କରୋନା ମହାମାରୀ ସମ୍ପର୍କିତ କୌଣସି ଅଣତାରକା ପ୍ରଶ୍ନ ଆସନ୍ତାକାଲିର ଅଣତାରକା ପ୍ରଶ୍ନ ଉଲ୍ଲେଖ ନାହିଁ।

ସମ୍ବନ୍ଧିତ ଖବର