ନୂଆଦିଲ୍ଲୀ: କୋଭିଡ୍-୧୯ କଟକଣା ସହ ଅଗଷ୍ଟ ତୃତୀୟ ସପ୍ତାହ କିଂବା ସେପ୍ଟେମ୍ବର ପ୍ରାରମ୍ଭରେ ହେବାକୁ ଥିବା ପାର୍ଲାମେଣ୍ଟ୍ର ମୌସୁମୀ ଅଧିବେଶନର ସୁପରିଚାଳନା ନିମନ୍ତେ ଗତ ଦୁଇ ସପ୍ତାହ ହେବ ରାଜ୍ୟସଭା ସଚିବାଳୟ ଓଭର୍ଟାଇମ୍ କରୁଛି। ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ଜାରି କରିଥିବା ନିର୍ଦେଶାବଳୀ ପୂରଣ କରିବାକୁ ସମ୍ପୃକ୍ତ ଅଧିକାରୀମାନେ ସେମାନଙ୍କର କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି।
ରାଜ୍ୟସଭା ସଚିବାଳୟ ସୂତ୍ରରୁ ପ୍ରକାଶ ଯେ, ଲୌକିକ ଦୂରତ୍ବ ବଜାୟ ରଖିବାକୁ ଅଧିବେଶସନ ସମୟରେ ରାଜ୍ୟସଭା ସଦସ୍ୟମାନେ ଉଭୟ ଚେମ୍ବର୍ ଓ ଗ୍ୟାଲେରିମାନଙ୍କରେ ବସିବେ। ୧୯୫୨ ମସିହାରୁ ଚାଲିଥିବା ଭାରତୀୟ ପାର୍ଲାମେଣ୍ଟ୍ ଇତିହାସରେ ଏ ଭଳି ଆସନ ବ୍ୟବସ୍ଥା କରାଯିବା ପ୍ରଥମ ଘଟଣା। ଏଥର ମୌସୁମୀ ଅଧିବେଶନରେ ରାଜ୍ୟସଭା ଚେମ୍ବର୍ରେ ବସିବେ ୬୦ଜଣ ସଦସ୍ୟ ଏବଂ ଗ୍ୟାଲେରିରେ ବସିବେ ୫୧ଜଣ ସଦସ୍ୟ। ବାକି ୧୩୨ଜଣ ସଦସ୍ୟ ବସିବେ ଲୋକସଭା ଚେମ୍ବର୍ରେ। ଲୋକସଭା ସଚିବାଳୟରେ ମଧ୍ୟ ଏହି ପ୍ରକାର ଆସନ ବ୍ୟବସ୍ଥା କରାଯାଉଛି।
/sambad/media/post_attachments/wp-content/uploads/2020/08/parliament.jpg)
ଏଥର ପ୍ରଥମକରି ଚେମ୍ବର୍ରେ ଚାରିଟି ବୃହତ୍ ଡିସ୍ପ୍ଲେ ସ୍କ୍ରିନ୍, ଗୃହର ଚାରିଟି ଗ୍ୟାଲେରିରେ ଅଡିଓ କନ୍ସୋଲ୍ ସହ ଛଅଟି ଛୋଟ ସ୍କ୍ରିନ୍, ଅଲ୍ଟ୍ରାଭାଓଲେଟ୍ ଜର୍ମିସିଡାଲ୍ ଇରେଡିଏସନ୍, ଅଡିଓ ଭିଡିଓ ସିଗ୍ନାଲ୍ ପ୍ରସାରଣ ନିମନ୍ତେ ଦୁଇଟି ଗୃହକୁ ସ୍ବତନ୍ତ୍ର କେବଲ୍ରେ ସଂଯୋଗ, ଗୃହର ଚେମ୍ବର୍କୁ ଅଫିସିଆଲ୍ ଗ୍ୟାଲେରିରୁ ପୃଥକ୍ ରଖିବାକୁ ପଲିକାର୍ବୋନେଟ୍ ସିଟ୍ ବ୍ୟବସ୍ଥା କରାଯିବ।
ରାଜ୍ୟସଭା ଚେମ୍ବର୍ରେ ପ୍ରଧାନମନ୍ତ୍ରୀ, ଗୃହର ନେତା, ବିରୋଧୀ ଦଳ ନେତା ଏବଂ ଅନ୍ୟାନ୍ୟ ଦଳର ନେତାଙ୍କ ନିମନ୍ତେ ଆସନ ଚିହ୍ନିତ କରାଯିବ। ଏହା ବ୍ୟତିରେକେ, ଗୃହର ପୂର୍ବତନ ନେତା ଡକ୍ଟର୍ ମନମୋହନ ସିଂହ, ଦେବେ ଗୌଡ଼ା, ରାମବିଳାସ ପାଶୱାନ ଏବଂ ରାମଦାସ ଅଥାୱାଲେଙ୍କୁ ମଧ୍ୟ ଚେମ୍ବର୍ରେ ଆସନ ମିଳିବ। ଅନ୍ୟ ମନ୍ତ୍ରୀମାନେ ଶାସକ ଦଳ ନିମନ୍ତେ ଉଦ୍ଦିଷ୍ଟ ଆସନଗୁଡ଼ିକରେ ବସିବେ।