ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନରେ ବି ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ଏବଂ ଗୃହ କାର୍ଯ୍ୟ କରାଇ ଦେଇନାହାନ୍ତି। କିଛି ନୂଆ ସାମଗ୍ରୀ ଉପରେ ଜିଏସ୍ଟି ଲଗାଇବା ସମେତ ଦର ବୃଦ୍ଧି ଏବଂ ଅଗ୍ନିପଥ ଯୋଜନା ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଯୋଗୁଁ ଉଭୟ ଲୋକସଭା ଏବଂ ରାଜ୍ୟସଭା କାଲି ପର୍ଯ୍ୟନ୍ତ ମୁଲତବି ରହିଛି। ଅଧିବେଶନ ଆରମ୍ଭରୁ ବିରୋଧୀ ଦଳ ନେତାମାନେ ହଟ୍ଟଗୋଳ କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ।
ଆଜି ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଅନେକ ବିରୋଧୀ ସାଂସଦ ବିଭିନ୍ନ ପ୍ରସଙ୍ଗରେ ସ୍ଲୋଗାନ ଦେଇ ବାଚସ୍ପତିଙ୍କୁ ଆସନ ଆଡ଼କୁ ମାଡ଼ିଯାଇଥିଲେ। ବାଚସ୍ପତି ଓମ୍ ବିର୍ଲା ପ୍ରଥମେ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ମୁଲତବି ରଖିଥିଲେ। ବାଚସ୍ପତି କହିଥିଲେ, ନିକଟରେ ଜାରି ହୋଇଥିବା ନୂଆ ନିୟମ ଅନୁଯାୟୀ ସଂସଦକୁ ପ୍ଲାକାର୍ଡ ଆଣିବା ଅନୁମତି ନାହିଁ। ଏହାପରେ ଦିନ ୨ଟାରେ ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ କଂଗ୍ରେସ, ଟିଏମ୍ସି, ଡିଏମ୍କେ ଏବଂ ଅନ୍ୟ ନେତାମାନେ ଗୃହର ମଧ୍ୟଭାଗକୁ ଆସି ପୁଣିଥରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ। କିଛି ସଦସ୍ୟ କାଗଜ ଫୋପାଡ଼ିଥିଲେ। ଏହାପରେ ଗୃହକୁ ଦିନକ ପାଇଁ ମୁଲତବି ଘୋଷଣା କରାଯାଇଛି। ବିରୋଧୀ ସଦସ୍ୟମାନେ ଦର ବୃଦ୍ଧିକୁ ବିରୋଧ କରି ମୋଦୀ ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ। ବିରୋଧୀ ଦଳ ଦ୍ବାରା ଏକ ପ୍ଲାକାର୍ଡରେ ଲେଖାଯାଇଥିଲା ‘ଗବ୍ବର ସିଂହ ଷ୍ଟ୍ରାଇକ୍ସ ଏଗେନ୍।’
ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ବିରୋଧୀ ଦଳ ନେତାମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି । ପରେ ୨ଟାରେ ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉପାଧ୍ୟକ୍ଷ ହରିବଂଶ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ୱିପନ୍ସ ଅଫ୍ ମାସ ଡେଷ୍ଟ୍ରକସନ ଆଣ୍ଡ ଦେୟାର ଡେଲିଭରି ସିଷ୍ଟମ୍ସ (ପ୍ରୋହିବିସନ ଅଫ୍ ଅନ୍ଲଫୁଲ୍ ଆକ୍ଟିଭିଟିଜ୍) ସଂଶୋଧନ ବିଲ୍ ୨୦୨୨ ଆଗତ କରିବାପାଇଁ କହିଥିଲେ। ଏହି ସମୟରେ ବିରୋଧୀମାନେ ଜୋରଦାର ସ୍ଲୋଗାନ୍ ଦେଇଥିଲେ। ପ୍ରବଳ ବିରୋଧ ସତ୍ତ୍ବେ ଜୟଶଙ୍କର ଏହି ବିଲ୍ ଆଗତ କରିଥିଲେ। ହରିବଂଶ ଗୃହରେ ଶୃଙ୍ଖଳା ଫେରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିରୋଧୀମାନେ ସହଯୋଗ ନକରିବାରୁ ହରିବଂଶ ବୁଧବାର ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/sfhshhfhh1232hf23h1f23fhfh.jpg)