ଆରବ ସାଗରରେ ଲଘୁଚାପ ଯୋଗୁଁ ଆହୁରି ବିଳମ୍ବରେ ଆସିବ ମୌସୁମୀ, ପାଣିପାଗ ବିଭାଗର ସୂଚନା

ନୂଆଦିଲ୍ଲୀ : ସାଧାରଣତଃ ଜୁନ ୧ରେ କେରଳ ପହଞ୍ଚୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀର ଏବର୍ଷ ଜୁନ ୪ରେ ଆସିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଥିଲା । କିନ୍ତୁ ଜୁନ ୫ ହୋଇଥିଲେ ବି, ମୌସୁମୀର ଏପର୍ଯ୍ୟନ୍ତ ଦେଖା ନାହିଁ ।

ଏହା ମଧ୍ୟରେ ଆଇଏମଡି ପକ୍ଷରୁ ଆଜି କୁହାଯାଇଛି ଯେ ଏଥର ଦେଶରେ ମୌସୁମୀ ଆହୁରି ବିଳମ୍ବରେ ପହଞ୍ଚିବ। ଗତ ୨୪ ଘଣ୍ଟା ମଧ୍ୟରେ ଆରବ ସାଗରର ଦକ୍ଷିଣ ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ କେରଳ ଉପକୂଳରେ ମେଘ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଚଳିତ ବର୍ଷ କେରଳରେ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହେବ।

ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଓ ଏହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ପାଗ ମେଘୁଆ ରହିଛି। ଖୁବଶୀଘ୍ର ପ୍ରବଳ ସାମୁଦ୍ରିକ ଝଡ଼ ମୌସୁମୀକୁ କେରଳ ଉପକୂଳ ଆଡ଼କୁ ଅଗ୍ରସର କରିବାରେ ସହାୟତା କରିପାରେ । ଏଣୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିଲେ ମୌସୁମୀ କେରଳରେ ପହଞ୍ଚିପାରେ ବୋଲି ବିଭାଗ କହିଛି ।

ଅନ୍ୟପକ୍ଷରେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ଯେ ମୌସୁମୀ ଆସିବାରେ ଆହୁରି ୨-୩ ଦିନ ଲାଗିଯିବ । ଏହି ହିସାବରେ ଓଡ଼ିଶାକୁ ମୌସୁମୀ ଆସୁ ଆସୁ ଜୁନ ୧୭ ଟପିଯିବ । ଏଣୁ ପ୍ରବଳ ଗରମରେ ହନ୍ତସନ୍ତ ହେଉଥିବା ଲୋକମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ।

ସମ୍ବନ୍ଧିତ ଖବର