ନୂଆଦିଲ୍ଲୀ: ଏ ବର୍ଷ ଦେଶରେ ମୌସୁମୀ ବାୟୁ ପ୍ରବାହଜନିତ ବୃଷ୍ଟିପାତ ସ୍ବାଭାବିକ ହେଲେ ମଧ୍ୟ ପ୍ରାରମ୍ଭିକ ମାସମାନଙ୍କରେ ବୃଷ୍ଟିପାତ ହାର ସ୍ବାଭାବିକ ଠାରୁ କମ୍ ରହିବ‌ ବୋଲି ଅଭ୍ୟନ୍ତରୀଣ ସରକାରୀ ଆକଳନରୁ ଜଣାପଡ଼ିଛି। ଗତବର୍ଷ ପରି ଏଥର ଜୁନ୍ ଓ ଜୁଲାଇ ମାସରେ କମ୍ ବର୍ଷା ହେବା ପରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମାତ୍ରଧିକ ବର୍ଷା ହେବ ବୋଲି ଏହି ଆକଳନରୁ ଜଣାପଡ଼ିଛି।

Advertisment

ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଭାରତୀୟ ପାଣିପାଗ ସଂସ୍ଥାନ ମେ ଶେଷ ସପ୍ତାହ କିଂବା ଜୁନ୍ ପ୍ରଥମ ସପ୍ତାହରେ ଘୋଷଣା କରିବ। ଭାରତୀୟ ପାଣିପାଗ ସଂସ୍ଥାନ ଏ ପର୍ଯ୍ୟନ୍ତ ମାସିକ ବୃଷ୍ଟିପାତ ହାର ସଂକ୍ରାନ୍ତରେ କୌଣସି ସୂଚନା ଦେଇ ନ ଥିଲେ ମଧ୍ୟ ସରକାରୀ ଆକଳନରୁ ଜଣାପଡ଼ିଛି ଯେ ଓଡ଼ିଶା, ପଶ୍ଚମବଙ୍ଗ ଏବଂ ମିଜୋରାମର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାରମ୍ଭିକ ମାସମାନଙ୍କରେ ସ୍ବଭାବିକ ଠାରୁ ସ୍ବଳ୍ପ ବୃଷ୍ଟିପାତ ହେବ। କିନ୍ତୁ, ତାମିଲନାଡୁ ଏବଂ କେରଳର ଦକ୍ଷିଣଭାଗରେ ସ୍ବାଭାବିକ ଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଆଶା କରାଯାଉଛି।

publive-image Image Source: The Times of India

ଆକଳନରୁ ଆହୁରି ଜଣାପଡ଼ିଛି ଯେ ଦେଶର ଅଧିକାଂଶ ସ୍ଥାନରେ ୪୦ ରୁ ୫୦ ପ୍ରତିଶତ ବର୍ଷା ହେବ। ଏହା ହେଉଛି ସ୍ବାଭାବିକ ବୃଷ୍ଟିପାତ ପରିମାଣର ପ୍ରାୟ ପାଖାପାଖି। ଏହାଛଡ଼ା ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ପଶ୍ଚିମ ଭାଗ ଓ ମହାରାଷ୍ଟ୍ରର ଉତ୍ତରପଶ୍ଚିମ ପାର୍ଶ୍ବରେ ବୃଷ୍ଟିପାତ ହାର ୫୦ ରୁ ୬୦% ରହିବ।

ଜୁନ୍‌ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହଜନିତ ବୃଷ୍ଟିପାତ ହାର ୯୬ ରୁ ୧୦୪% ରହିପାରେ ବୋଲି ଏପ୍ରିଲ୍ ୧୫ ତାରିଖରେ ଭାରତୀୟ ପାଣିପାଗ ସଂସ୍ଥାନ ‌ପୂର୍ବାନୁମାନ କରିଥିଲା। ୧୯୬୧ ମସିହାରୁ ୨୦୧୦ ଯାଏଁ ଦେଶରେ ହାରାହାରି ମୌସୁମୀ ବୃଷ୍ଟିପାତ ୮୮ ସେ.ମି. ଥିବା କଥା ରେକର୍ଡରୁ ଜଣାପଡ଼ିଛି।