ଜୁନ ୧ରେ କେରଳ ଛୁଇଁବ ମୌସୁମୀ, ରଜ ପୂର୍ବରୁ ଓଡ଼ିଶାରେ ବର୍ଷା

ଭାରତୀୟ ପାଣିପାଗ ବିଭାଗର ଆକଳନ

ଭୁବନେଶ୍ୱର : ଦେଶର ଚାଷୀଭାଇ, ସରକାର ଓ ଅର୍ଥନୀତି ପାଇଁ ଶୁଭ ଖବର । ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ଠିକ ସମୟରେ ଆସିବ । ଆସନ୍ତା ଜୁନ ୧ରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ମେ ମାସ ୨୦ ତାରିଖରେ ଆସିଥିବା ମହାବାତ୍ୟା ଅମ୍ପନ ଯୋଗୁଁ ଏଥର ମୌସୁମୀ ଦିଗଭ୍ରଷ୍ଟ ହୋଇ ବିଳମ୍ବିତ ହେବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା । କିନ୍ତୁ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ମୌସୁମୀ ପହଞ୍ଚିବା ପାଇଁ ବାତବରଣ ଅନୁକୂଳ ରହିଛି । ଆସନ୍ତା ୩୧ ତାରିଖରୁ ଜୁନ ୪ ପର୍ଯ୍ୟନ୍ତ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏପରି ହେଲେ ଆସନ୍ତା ଜୁନ ୧ ସୁଦ୍ଧା କେରଳରେ ମୌସୁମୀ ପହଞ୍ଚିବ ।
ଇତିମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମାଳଦ୍ୱୀପ, ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ଓ ନିକୋବରର ଅବଶିଷ୍ଟ ଭାଗରେ ପହଞ୍ଚିସାରିଲାଣି । ଆସନ୍ତା ୪୮ ଘଣ୍ଟାରେ ଏହା ମାଳଦ୍ୱୀପ-କୋମୋରିନ ଅଞ୍ଚଳର ଅବଶିଷ୍ଟ ଭାଗରେ ପହଞ୍ଚିବ ଓ ଏପରି ଅଗ୍ରଗତି କଲେ ଆସନ୍ତା ଜୁନ ୧ରେ କେରଳ ପହଞ୍ଚିବ ।
ସାଧାରଣତଃ ଜୁନ ୧ରେ କେରଳ ଛୁଇଁଥାଏ । କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶା ଛୁଇଁଥାଏ ମୌସୁମୀ । ଏଣୁ ଆସନ୍ତା ଜୁନ ୧୦ ବେଳକୁ ଓଡ଼ିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ଏଥର ରଜ ପୂର୍ବରୁ ଓଡ଼ିଶାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର