ମେ ୨୭ ନୁହେଁ, ଆଉ କିଛି ଦିନ ବିଳମ୍ବରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ପ୍ରାୟ ୬ ଦିନ ଧରି ସ୍ଥିର ରହିବା ପରେ ପୁଣି ଆଗେଇବା ଆରମ୍ଭ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଗୁରୁବାର ଦିନ ମୌସୁମୀ ଦକ୍ଷିଣ ଶ୍ରୀଲଙ୍କା ଛୁଇଁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା କାଲି ଅର୍ଥାତ ଶୁକ୍ରବାର ସୁଦ୍ଧା ମୌସୁମୀ ଆହୁରି ଅଗ୍ରଗତି କରି ଶ୍ରୀଲଙ୍କାର ଆଉ କିଛି ଅଂଶକୁ ଆବୃତ କରିବ ।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ମୌସୁମୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଆରବ ସାଗର, ସଂପୂର୍ଣ୍ଣ ମାଳଦ୍ବୀପ, ଲକ୍ଷଦ୍ବୀପର ନିକଟବର୍ତ୍ତୀ ଅଂଚଳ ଓ କୋମୋରିନ ଅଂଚଳର କିଛି ଅଂଶରେ ପହଞ୍ଚିବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗର ପୂର୍ବ ଅଟକଳ ଅନୁସାରେ  ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ମେ ୨୭ରେ କେରଳ ଛୁଇଁବାର ଥିଲା । କିନ୍ତୁ ପ୍ରକୃତରେ ମୌସୁମୀ କେରଳ ଛୁଇଁବାକୁ ଆଉ କିଛି ଦିନ ସମୟ ଲାଗିପାରେ । ସ୍ବାଭାବିକ ଭାବେ ପ୍ରତିବର୍ଷ ଜୁନ ୧ରେ ମୌସୁମୀ କେରଳ ଛୁଇଁଥାଏ । ଏହାର ପ୍ରାୟ ୧୦ ଦିନ ପରେ ଓଡ଼ିଶା ଛୁଇଁଥାଏ ।

ତେବେ ମୌସୁମୀ କେରଳ ଛୁଇଁ ନଥିଲେ ବି, ସମଗ୍ର ରାଜ୍ୟରେ ପ୍ରାକ-ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଗତ ୧୬ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଂଜ ଛୁଇଁଥିଲା ।

 

 

ସମ୍ବନ୍ଧିତ ଖବର