ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିଛି । ରବିବାର ଏହା ଆଣ୍ଡାମାନ ସାଗର ଓ ନିକୋବର ଦ୍ବୀପ ଛୁଇଁଥିବା ବିଭାଗ ସ୍ପଷ୍ଟ କରିଛି ।
ବିଭାଗ କହିଛି ଯେ, ଗତ ୨୪ ଘଣ୍ଟା ହେଲା ନିକୋବର ଦ୍ବୀପରେ ପ୍ରବଳ ବର୍ଷା ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ଅଂଚଳରେ ମୌସୁମୀର ଆଗମନ ହୋଇଛି । ମୌସୁମୀ ଏବେ ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ବୀପ, ଦକ୍ଷିଣ ଆଣ୍ଡାମାନ ସାଗରରେ ପ୍ରବେଶ କରିସାରିଛି ।
ବିଭାଗ ପକ୍ଷରୁ କୁହାଯାଇଛି ଯେ ମୌସୁମୀ ନିଜର ସ୍ବାଭାବିକ ସମୟରେ କୋମୋରିନ ଅଂଚଳ ଓ ମାଳଦ୍ବୀପରେ ପହଞ୍ଚିବା ପରେ ଆଣ୍ଡାମାନ ସାଗରରେ ପହଞ୍ଚିଛି । ରୋଚକ କଥା ହେଉଛି ୨୦୨୩ରେ ବି ମୌସୁମୀ ମଇ ୧୯ରେ ନିକୋବର ଦ୍ବୀପ ଛୁଇଁଥିଲା । ମୌସୁମୀର ଏପରି ଅଗ୍ରଗତି ରହିଲେ ଆସନ୍ତା ଜୁନ୧ରେ ଏହା କେରଳ ଛୁଇଁବା ସହ ଭାରତର ମୁଖ୍ୟଭୂଭାଗରେ ପ୍ରବେଶ କରିବ । ଏହାର ୧୦-୧୨ ଦିନ ପରେ ଅର୍ଥାତ ଜୁନ ୧୦ରୁ ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ । ଅନ୍ୟପ୍ରକାର କହିଲେ ରଜ ପର୍ବ ସମୟରେ ଓଡ଼ିଶାରେ ମୌସୁମୀ ବର୍ଷା ହେବ ।