ନୂଆଦିଲ୍ଲୀ : ଏବର୍ଷ ଆଗୁଆ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଇତି ମଧ୍ୟରେ ଏହା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁସାରିଲାଣି । ମୌସୁମୀ ଏବେ କେରଳ ଆଡ଼କୁ ମୁହାଁଇଛି । ଏହା ଆସନ୍ତା ୨୬ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଛି । ମୌସୁମୀ ସାଧାରଣତଃ ଜୁନ ୧ରେ କେରଳ ଛୁଇଁଥାଏ । ଅର୍ଥାତ ଏକ ସପ୍ତାହ ଆଗରୁ ମୌସୁମୀ ଆସିବ । ଏହି କ୍ରମରେ ଆସନ୍ତା ଜୁନ ୬ ସୁଦ୍ଧା ମୌସୁମୀ ଓଡ଼ିଶା ଆସିବାର ସମ୍ଭାବନା ରହିଛି । କିନ୍ତୁ ଆଗୁଆ ମୌସୁମୀ ଆସିଲେ ବି ଏବର୍ଷ କେତେ ବର୍ଷା ହେବ ତାହାକୁ ନେଇ ଆଶଙ୍କା ଦେଖାଦଇଛି ।
ପୂର୍ବରୁ ୨୦୦୯ରେ ମେ ୨୩ରେ ମୌସୁମୀ କେରଳ ଛୁଇଁଥିଲା । କିନ୍ତୁ ସେହି ବର୍ଷ ସ୍ବଳ୍ପ ବର୍ଷା କାରଣରୁ ମରୁଡ଼ି ପରିସ୍ଥିତି ଦେଖାଦେଇଥିଲା । ସେହିବର୍ଷ ୨୨ ପ୍ରତିଶତ କମ ବର୍ଷା ହୋଇଥିଲା । ଏବର୍ଷ ସେପରି ହେବନି ତ ? କାରଣ ଏବର୍ଷ ପ୍ରଥମ ଦୁଇ ମାସ ଭଲ ବର୍ଷା ଥିବାବେଳେ ଶେଷ ଦୁଇମାସ (ଅଗଷ୍ଟ,ସେପ୍ଟେମ୍ବର) ବର୍ଷା କମିବାର ଆଶଙ୍କା କରୁଛି ସ୍କାଏମେଟ୍ । ଏପରି ହେଲେ ବର୍ଷା ନିଅଣ୍ଟ ଧରିବାର ଆଶଙ୍କା ରହିଛି ।
ଠିକ ସମୟରେ ମୌସୁମୀ ଆସିବା ଦେଶ ପାଇଁ ଏକ ସୁସମ୍ବାଦ ବୋଲି କୁହାଯାଉଛି । କାରଣ ଦେଶର କୃଷି ଉତ୍ପାଦନ ଓ ସାମଗ୍ରିକ ଭାବେ ଅର୍ଥନୀତି ଉପରେ ମୌସୁମୀ ବାୟୁର ସବୁଠାରୁ ଅଧିକ ପ୍ରଭାବ ରହିଛି । ଦେଶର ଅଧିକାଂଶ କୃଷି ଅଂଚଳ ମୌସୁମୀ ଉପରେ ନିର୍ଭରଶୀଳ ହୋଇଥିବାରୁ ଠିକ ସମୟରେ ମୌସୁମୀ ଆସିଲେ ତାହା ଦେଶର କୃଷି ଉତ୍ପାଦନରେ ସହାୟକ ହେବ ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp