ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ, କିନ୍ତୁ ଧାର୍ଯ୍ୟ ସମୟରେ କେରଳ ଛୁଇଁବା ନେଇ ସଂଦେହ

ନୂଆଦିଲ୍ଲୀ : ଅତିଭୀଷଣ ସାମୁଦ୍ରିକ ବାତ୍ୟା ଅମ୍ପାନ ଓଡ଼ିଶା ଓ ପଶ୍ଚିମ ବଙ୍ଗ ଉପକୂଳ ଆଡ଼କୁ ଆଗଉଥିବାବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରାୟ ୫ ଦିନ ଆଗରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଗତ ବର୍ଷ ଏହା ମେ ୨୨ ତାରିଖରେ ଆଣ୍ଡାମାନ ଛୁଇଁଥିଲା ।
ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଣ୍ଡାମାନ ଛୁଇଁଛି । ଏହା ଦ୍ୱାରା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ଜାରି ରହିଛି । କିନ୍ତୁ ଅମ୍ପାନ ବାତ୍ୟାଯୋଗୁଁ ଭାରତର ମୂଳ ଭୂଖଣ୍ଡରେ ମୌସୁମୀ ଆସିବା ବିଳମ୍ବିତ ହୋଇପାରେ ।

ସାଧାରଣତଃ ମୌସୁମୀ ଆଣ୍ଡାମାନ ଛୁଇଁବାର ୧୦ ଦିନ ପରେ ଅର୍ଥାତ ମେ ପହିଲା ବେଳକୁ କେରଳ ଛୁଇଁଥାଏ । ପାଣିପାଗ ବିଭାଗ ପୂର୍ବରୁ ମଧ୍ୟ କହିଥିଲା ଯେ ଏବର୍ଷ ମୌସୁମୀ ୧ ତାରିଖ ବଦଳରେ ୫ ତାରିଖରେ ପହଞ୍ଚିବ । କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁଁ କେରଳରେ ମୌସୁମୀ କେବେ ପହଞ୍ଚିବ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ମଧ୍ୟ ମୌସୁମୀ ଆଣ୍ଡାମାନ ଛୁଇଁଥିବା ସ୍ପଷ୍ଟ କରିଛି । ଆଉ କିଛି ଦିନ ମଧ୍ୟରେ ଏହା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅନ୍ୟ ଅଞ୍ଚଳରେ ପହଞ୍ଚିବ ବୋଲି ସଂସ୍ଥା କହିଛି ।

ସମ୍ବନ୍ଧିତ ଖବର