ନୂଆଦିଲ୍ଲୀ : ଏ ବର୍ଷ ମୌସୁମି ଋତୁରେ ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଫଳରେ କ୍ରମାଗତ ୪ର୍ଥ ବର୍ଷ ପାଇଁ ଦେଶରେ ସ୍ବାଭାବିକ ମୌସୁମି ବର୍ଷା ରହିବ ବୋଲି ବିଭାଗ କହିଛି ।
ଆଇଏମଡିର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏବର୍ଷ ୧୦୩ ପ୍ରତିଶତ ବର୍ଷା ହେବ, ଯାହାକି ସ୍ବାଭାବିକଠାରୁ ଟିକିଏ ଅଧିକ ।ଏବର୍ଷ ମଧ୍ୟ ମୌସୁମି ଋତୁରେ ଲାନିନାର ପ୍ରଭାବ ଜାରି ରହିବ ।
ଜୁନ ମାସରେ ସାରା ଭାରତରେ ସ୍ବାଭାବିକ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ସେ କହିଛନ୍ତି । ତେବେ ଦକ୍ଷିଣ ଓଡ଼ିଶା ଓ ଉତ୍ତର-ଉପକୂଳ ଓଡ଼ିଶାରେ ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ ଟିକିଏ ଅଧିକ ବର୍ଷା ହେବ । କିନ୍ତୁ କେନ୍ଦ୍ରୀୟ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ସ୍ବାଭାବିକଠାରୁ କମ ବର୍ଷା ହେବ । ତେବେ ଓଡ଼ିଶାରେ କେବେ ମୌସୁମି ଆସିବ ସେ ନେଇ ଏପର୍ଯ୍ୟନ୍ତ ପୂର୍ବାନୁମାନ କରାଯାଇନାହିଁ ବୋଲି ସେ କହିଛନ୍ତି ।
ପୂର୍ବରୁ ପାଣିପାଗ ବିଭାଗ କହିଥିଲା ଯେ ଏବର୍ଷ ୯୯ ପ୍ରତିଶତ ଅର୍ଥାତ ସ୍ବାଭାବିକଠାରୁ ଟିକିଏ କମ ବର୍ଷା ହେବ । ଏଣୁ ବିଭାଗର ସର୍ବଶେଷ ଆକଳନ ସମସ୍ତଙ୍କୁ ଆଶ୍ବସ୍ତ କରିଛି । କାରଣ ଭାରତୀୟ କୃଷି ଓ ଅର୍ଥନୀତି ପାଇଁ ମୌସୁମି ବର୍ଷାର ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଥାଏ ।
ଗତ ୨୯ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳ ଛୁଇଁଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିଥିଲା । ଏହା ଫଳରେ ଆସନ୍ତା ୧୦ ତାରିଖ ବେଳକପ ମୌସୁମି ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଗତ ୧୬ ତାରିଖରେ ମୌସୁମି ଆଣ୍ଡାମାନ ଓ ନିକୋବର ଦ୍ବୀପପୁ୍ଂଜ ଛୁଇଁଥିଲା ।