ଅଟକି ଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ, ଜୁଲାଇ ୭ ପରେ ପୁଣି ସକ୍ରିୟ ହେବ : ଆଇଏମଡି ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ : ଗତ ପ୍ରାୟ ୨ ସପ୍ତାହ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ଏକ ପ୍ରକାର ନିଷ୍କ୍ରିୟ ହୋଇଯାଇଛି । ଫଳରେ ଜୁନ ମାସ ଆରମ୍ଭରୁ ୩ୟ ସପ୍ତାହ ପର୍ୟ୍ୟନ୍ତ ଦେଶର ଅଧିକାଂଶ ଭାଗରେ ଭଲ ବର୍ଷା ହୋଇଥିବାବେଳେ ମାସ ଶେଷ ବେଳକୁ ବର୍ଷା ନିଅଣ୍ଟ ଦେଖାଦେଇଛି ।

ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଅନୁସାରେ ଜୁନ ୧୯ରୁ ମୌସୁମୀ ଅଟକି ଯାଇଛି । ଫଳରେ ଦିଲ୍ଲୀ, ହରିୟାଣା, ପଂଜାବ ଆଦିରେ ପୁଣି ଗ୍ରୀଷ୍ମ ପ୍ରବାହ ଦେଖାଦେଇଛି । ତେବେ ଦେଶର ପୂର୍ବ ଓ ପୂର୍ବୋତ୍ତର ଭାଗରେ ଭଲ ବର୍ଷା ହୋଇଛି । କିନ୍ତୁ ଗତ କିଛି ଦିନ ହେଲା ଓଡ଼ିଶାରେ ବି ବର୍ଷା ପରିମାଣ କମିଯାଇଛି ।

ଏଠାରେ ପ୍ରଶ୍ନ ଉଠୁଛି ଏପରି ସ୍ଥିତି କେତେ ଦିନ ଲାଗି ରହିବ ? ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ ଏପରି ସ୍ଥିତି ଜୁଲାଇ ପ୍ରଥମ ସପ୍ତାହ ଶେଷ ପର୍ୟ୍ୟନ୍ତ ଲାଗି ରହିବ । ଜୁଲାଇ ୭ ପରେ ସ୍ଥିତିରେ ଉନ୍ନତି ଆସିବା ସହ ମୌସୁମୀ ପୁଣି ସକ୍ରିୟ ହେବ ଓ ୨ୟ ଓ ୩ୟ ସପ୍ତାହ ବେଳକୁ ଭଲ ବର୍ଷା ହେବ । ସମଗ୍ର ଜୁଲାଇ ମାସରେ ସ୍ବାଭାବିକ ବର୍ଷା ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର