ଭୁବନେଶ୍ବର : ଆଉ ମାତ୍ର କେଇ ଘଣ୍ଟା ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କେରଳ ଆକାଶ ଏବେ ମେଘାଚ୍ଛନ୍ନ ହେବାରେ ଲାଗିଛି। ଏଥିସହ ଦକ୍ଷିଣ ଆରବ ସାଗରର ଅଞ୍ଚଳରେ ପଶ୍ଚିମା ପବନ ଶକ୍ତିଶାଳୀ ହେବାରେ ଲାଗିଛି। ଉପଗ୍ରହ ଚିତ୍ରରୁ ଜଣାପଡ଼ୁଛି ଯେ କେରଳ ଉପକୂଳ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗର ଅଞ୍ଚଳର ଆକାଶରେ ମେଘ ଘନୀଭୂତ ହେଉଛି। ଫଳରେ ଆଉ କିଛି ଘଣ୍ଟା ମଧ୍ୟରେ କେରଳରେ ବର୍ଷା ଆରମ୍ଭ ହୋଇଯିବ ଓ ଭାରତକୁ ଚଳିତ ଥରର ପ୍ରଥମ ମୌସୁମୀ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ଅନ୍ୟପଟେ ରଜ ଆଡ଼କୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରାଯାଉଛି। ଏଥିସହ ଏବେ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
କେନ୍ଦ୍ର କହିଛି ଯେ ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଏଥିସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ କିଛି କିଛି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇଥିଲା। ତେବେ ଆସନ୍ତାକାଲି ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/rain-780x470-1.jpg)