ଭୟ ଛାଡ଼ୁନି ପାକିସ୍ତାନର; ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ର ୨ ମାସ ପରେ ବି ୩୦୦ ଟ୍ୟାଙ୍କ୍‌କୁ ରଖିଛି ‘ଆଲର୍ଟ ମୋଡ୍‌’ରେ

ନୂଆଦିଲ୍ଲୀ: ପୁଲ୍‌ଓ୍ଵାମା ଆତଙ୍କବାଦୀ ହାମ୍‌ଲା ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟ ଠାରେ କରା ଯାଇଥିବା ଏୟାର ଷ୍ଟ୍ରାଇକ୍‌କୁ ଇତିମଧ୍ୟରେ ଦୁଇ ମାସ ବିତିଗଲାଣି। ହେଲେ, ପାକିସ୍ତାନୀ ସେନା ମନରୁ ଏବେ ବି ଭୟ ଦୂର ହୋଇନାହିଁ। କାଳେ ପୁଣି ଥରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେଇ ଆଶଙ୍କାରେ ପାକିସ୍ତାନୀ ସେନା ଆଖିରୁ ନିଦ ହଜି ଯାଇଛି। ଏହି କାରଣରୁ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଦୁଇ ମାସ ପରେ ବି ପାକିସ୍ତାନୀ ସେନା ତା’ର ଗୁରୁତ୍ୱପୂର୍ଣ୍ଣ ଶକାରଗଡ଼ ସେକ୍ଟରରେ ୩୦୦ ଟ୍ୟାଙ୍କ୍‌କୁ ଖାଲି ମୁତୟନ କରି ରଖିନାହିଁ; ବରଂ ‘ଆଲର୍ଟ’ ମୋଡ୍‌ରେ ରଖିଛି। ଖାଲି ଏତିକି ନୁହେଁ, ଭାରତ ପକ୍ଷରୁ ଯଦି କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ହେଲା, ତେବେ ତାକୁ ପ୍ରତିହତ କରିବା ପାଇଁ ପାକିସ୍ତାନୀ ସ୍ଥଳ ସେନାର ୪ଟି ସଶସ୍ତ୍ର ସାମରିକ ବ୍ରିଗେଡ୍‌ ମଧ୍ୟ ସୀମାନ୍ତରେ ମୁତୟନ ହୋଇ ରହିଛନ୍ତି।

ହେଲେ, ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ପରେ ପାକିସ୍ତାନକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଭାରତର ଉଗ୍ର ଆଭିମୁଖ୍ୟ ଆଗରେ ପାକିସ୍ତାନକୁ ନତମସ୍ତକ ହେବାକୁ ପଡ଼ିଥିବା ବେଳେ ବିଶ୍ୱ ସମୁଦାୟର ଚାପ ଆଗରେ ଏବେ ସଂପୁର୍ଣ୍ଣ ଏକ ଘରକିଆ ହୋଇ ଘୋର ଆର୍ଥିକ ଦୂରାବସ୍ଥାର ସମ୍ମୁଖାନ ହୋଇଛି ପାକିସ୍ତାନ। ଏପରିସ୍ଥିତିରେ ସୀମାନ୍ତରେ ନିଜ ସେନାକୁ ‘ଆଲର୍ଟ ମୋଡ’ରେ ରଖିବା ପାକିସ୍ତାନ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି। ତେଣୁ, ଆଉ ଅଧିକ ଚାପକୁ ସମ୍ଭାଳିବା ପାଇଁ ଅସମର୍ଥ ଥିବା ପାକିସ୍ତାନ ନିଜ ଆଡ଼ୁ ସୀମାନ୍ତରେ ଉତ୍ତେଜନା ହ୍ରାସ ସହ ଅସ୍ତ୍ରବିରତିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଭାରତକୁ ପ୍ରସ୍ତାବ ଦେଇଛି।

ସମ୍ବନ୍ଧିତ ଖବର