ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ହେତୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ସ୍ମାରକୀ ଏବଂ ସଂଗ୍ରହାଳୟ ମେ’ ୧୫ପର୍ଯ୍ୟନ୍ତ ବନ୍ଦ ରହିବ। ଆଜି ଏ ନେଇ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଘୋଷଣା କରିଛି। ଏହା ପୂର୍ବରୁ କରୋନା କାରଣରୁ ଭାରତର ସମସ୍ତ ସ୍ମାରକୀ ବନ୍ଦ କରାଯାଇଥିବା ବେଳେ ସଂକ୍ରମଣ କମ ହେବା ପରେ ଏହାକୁ ଧିରେ ଧିରେ ଖୋଲା ଯାଇଥିଲା। କିନ୍ତୁ ଏବେ ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ପାର କରିଥିବା ବେଳେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପୁଣି ଥରେ ସମସ୍ତ ଐତିହ୍ୟ ସ୍ମାରକୀ ଏବଂ ସଂଗ୍ରହାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ବହୁ ପରାତନ ଐତିହ୍ବସ୍ଥଳୀ ବନ୍ଦ ହେବ।
କରୋନାଭାଇରସ୍ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ପ୍ରଥମ କରି ୨ ଲକ୍ଷ ଟପିବା ସହ ଦେଶରେ ମାତ୍ର ୧୦ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୨ଗୁଣ ହୋଇଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦୦,୭୩୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧,୦୩୮ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୪୦,୭୪,୫୬୪ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ହୋଇଥିବା ୧,୦୩୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୩,୧୨୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୯୩,୫୨୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୨୪,୨୯, ୫୬୪। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୪,୭୧,୮୭୭।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/ସ-90.jpg)