ମୁସେୱାଲା ହତ୍ୟା ମାମଲା: ଷଡ଼୍‌ଯନ୍ତ୍ରର ଚେର ତିହାର ‌ଜେଲ୍‌ରେ

ଉତ୍ତରାଖଣ୍ଡରୁ ୬ ଗିରଫ, ତୀର୍ଥଯାତ୍ରୀଙ୍କ ଭିଡ଼ରେ ଲୁଚିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ୟୁନିଟ୍ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି। ଏଥିରୁ ଏହି ହତ୍ୟା ଯୋଜନାର ଚେର ତିହାର ଜେଲ ଯାଏ ଲମ୍ବିଥିବା ଜଣାପଡ଼ିଛି । ଗତବର୍ଷ ଡିସେମ୍ବର ମାସରେ କଂଗ୍ରେସରେ ଯୋଗ ଦେଇଥିବା ମୁସେୱାଲାଙ୍କୁ ରବିବାର ସନ୍ଧ୍ୟାରେ ପଞ୍ଜାବର ମାନସା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା। ଅନ୍ୟ ୪୨୪ ଜଣଙ୍କ ସହ ତାଙ୍କୁ ଦିଆଯାଉଥିବା ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ ହଟାଇ ନିଆଯିବାର ଦିନକ ପରେ ଏହି ଘଟଣା ଘଟିଥିଲା। ମୁସେୱାଲାଙ୍କ ହତ୍ୟା ଗୋଷ୍ଠୀଗତ ଶତ୍ରୁତାର ଫଳ ବୋଲି ପୁଲିସ କହିବା ସହ ଏଥିରେ ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲ୍‌ଡି ବ୍ରାର ଓ ସେମାନଙ୍କ ସହଯୋଗୀମାନେ ସମ୍ପୃକ୍ତ ବୋଲି ଦାବି କରିଛି। ୨୦୨୧ ଜୁଲାଇରେ ଏହି ଗ୍ୟାଙ୍ଗ୍‌ର ସମର୍ଥକ ବୋଲି କୁହାଯାଉଥିବା ଅକାଳୀ ଦଳ ନେତା ବିକ୍ରମଜିତ ମିଦ୍ଦୁଖେଡ଼ାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏଥିରେ ମୁସେୱାଲାଙ୍କର ମଧ୍ୟ ହାତ ଥିବା ଅଭିଯୋଗ ହୋଇଥିଲା

ଦିଲ୍ଲୀ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଗୋଟିଏ ଫୋନ୍ ନମ୍ବରରୁ ତିହାର ଜେଲ ସହ ସମ୍ପର୍କ ଥିବା ଜଣାପଡ଼ିଛି। କିଛିଦିନ ତଳେ ମହମ୍ମଦ ଶାହରୁଖ ନାମକ ଜଣେ ଅପରାଧୀ ପୁଲିସ ଦ୍ବାରା ଗିରଫ ହୋଇଥିଲା। କାନାଡ଼ାର ଗ୍ୟାଙ୍ଗ୍‌ଷ୍ଟର ବ୍ରାର ସହ ଯୋଗାଯୋଗ କରିବା ପାଇଁ ସେ ଏକ ମେସେଜିଂ ଆପ୍ ବ୍ୟବହାର କରୁଥିଲା, ଯିଏ କି ମୁସେୱାଲାଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି। ଯେହେତୁ ବ୍ରାର ହେଉଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟ, ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ ଗ୍ୟାଙ୍ଗ୍‌ଷ୍ଟର ବିଷ୍ଣୋଇ ଓ ତା’ର ସହଯୋଗୀ କାଲା ଜାଠେଡିକୁ ଏ ବାବଦରେ ଜେରା କରୁଛି। ବିଷ୍ଣୋଇ ବର୍ତ୍ତମାନ ତିହାର ଜେଲ୍‌ର ଏକ କଡ଼ା ନିରାପତ୍ତା ସେଲ୍‌ରେ ଅଛି। ପୁଲିସ ମଧ୍ୟ ଲରେନ୍ସ ବିଷ୍ଣୋଇକୁ ରିମାଣ୍ଡରେ ନେବାକୁ ଚେଷ୍ଟା କରୁଛି। ବିଷ୍ଣୋଇ ହେଉଛି ଜଣେ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଯାହା ନାଁରେ ଦିଲ୍ଲୀ, ରାଜସ୍ଥାନ ଓ ପଞ୍ଜାବରେ ଆପରାଧିକ ମାମଲା ରହିଛି। ତା’ର ଘନିଷ୍ଠ ସହଯୋଗୀ ସମ୍ପତ୍ ନେହରାକୁ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା କରିବା ପାଇଁ ଷଡ଼୍‌ଯନ୍ତ୍ର କରିବା ଅଭିଯୋଗରେ ୨୦୧୮ରେ ଗିରଫ କରାଯାଇଥିଲା। ଦିଲ୍ଲୀର ଗ୍ୟାଙ୍ଗ୍‌ଷ୍ଟର କାଲା ଜାଠେଡି ମଧ୍ୟ ତା’ର ଆଉ ଜଣେ ଘନିଷ୍ଠ ସହଯୋଗୀ ଯିଏ କି ଗତବର୍ଷ ଗିରଫ ହେବା ପୂର୍ବରୁ ଦିଲ୍ଲୀ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା।

ତୀର୍ଥଯାତ୍ରୀଙ୍କ ଭିଡ଼ରେ ଲୁଚିଥିଲେ ଅଭିଯୁକ୍ତ
ମୁସେୱାଲାଙ୍କ ଉପରେ ୩୦ ରାଉଣ୍ଡ୍‌ ଗୁଳିମାଡ଼
 ତଦନ୍ତ ପାଇଁ ନ୍ୟା‌ୟିକ କମିସନ୍‌ ଗଠନ

ନୂଆଦିଲ୍ଲୀ : ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଆଜି ପଂଜାବ-ଉତ୍ତରାଖଣ୍ଡ ମିଳିତ ପୁଲିସ ଟିମ୍‌ ଏବଂ ଏସ୍‌ଆଇଟି ଚଢ଼ଉରେ ୬ ଜଣ ଗିରଫ ହୋଇଛନ୍ତି। ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଏହି ସଦସ୍ୟମାନେ ତୀର୍ଥଯାତ୍ରୀଙ୍କ ଭିଡ଼ରେ ଲୁଚିଥିବା ନେଇ ଗୁଇନ୍ଦା ସୂଚନା ଆଧାରରେ ଏକ ସ୍ବତନ୍ତ୍ର ଅପରେସନ ଆରମ୍ଭ ହୋଇଥିଲା। ହେମକୁଣ୍ଡ ସାହିବ ଯାତ୍ରାରେ ଜଣେ ସନ୍ଦିଗ୍ଧ ଲୁଚିଥିବାବେଳେ ଅନ୍ୟମାନେ ମଧ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ଥିଲେ। ସମସ୍ତଙ୍କୁ ଡେରାଡୁନ୍‌ରୁ ଗିରଫ କରି ପଂଜାବ ଅଣାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ବୋଲି ପ୍ରମାଣ ମିଳିସାରିଛି ଏବଂ ଅନ୍ୟମାନଙ୍କ ସଂପର୍କରେ ଖୋଳତାଡ଼ ଚାଲିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଏବଂ କାନାଡ଼ାର ଗ୍ୟାଙ୍ଗଷ୍ଟର୍‌ ଗୋଲ୍ଡି ବ୍ରାର୍‌ ଉକ୍ତ ହତ୍ୟା ପାଇଁ ନିଜକୁ ଦାୟୀ କରିଛନ୍ତି।

ମୁସେୱାଲାଙ୍କ ଉପରକୁ ଗତକାଲି ୮ରୁ ୧୦ ଆକ୍ରମଣକାରୀ ୩୦ ରାଉଣ୍ଡ୍‌ ଗୁଳି ଚାଳନା କରିଥିଲେ। ଆଖିବୁଜା ଗୁଳିମାଡ଼ ପରେ ମୁସେୱାଲା ବଞ୍ଚିଛନ୍ତି କି ନା’ ତାହା ଜାଣିବାପାଇଁ ଜଣେ ଆକ୍ରମଣକାରୀ ‌ ଯାଞ୍ଚ ମଧ୍ୟ କରିଥିଲା। ମୁସେୱାଲାଙ୍କ ଶରୀରରେ ୨୫ଟି ବୁଲେଟ୍‌ କ୍ଷତ ଥିବା ପୋଷ୍ଟ୍‌ମର୍ଟମ ରିପୋର୍ଟରୁ ଜଣାପଡ଼ିଛି। ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏକ ନ୍ୟାୟିକ କମିସନ୍‌ ଗଠନ କରିଛନ୍ତି। ଦୋଷୀ ଖୁବ୍‌ଶୀଘ୍ର ଦଣ୍ଡ ପାଇବ ବୋଲି ମାନ୍‌ କହିଛନ୍ତି। ଘଟଣାସ୍ଥଳରୁ ଭିନ୍ନ ଭିନ୍ନ କିସମର ବୁଲେଟ୍‌ ମିଳିଛି। ମୁସେୱାଲାଙ୍କ ହତ୍ୟା‌ ପାଇଁ ଏଏନ୍‌ ୯୪ ବନ୍ଧୁକ ଓ ଏକେ-୪୭ ବନ୍ଧୁକ ବ୍ୟବହାର ‌ହୋଇଛି। ପୁଲିସ ମଧ୍ୟ ଅପରାଧ ସ୍ଥଳର ସିସିଟିଭି ଯାଞ୍ଚ କରୁଛି। ଅନ୍ୟପକ୍ଷେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଲରେନ୍ସ ବିଷ୍ଣୋଇ ନାଁ ଉଠିବାପରେ ତିହାର ଜେଲ୍‌ର କର୍ତ୍ତୃପକ୍ଷ ଜେଲ୍‌ର ବିଭିନ୍ନ କକ୍ଷରେ ତଲାସୀ ଆରମ୍ଭ କରିଛନ୍ତି। ପଂଜାବ ମୁଖ୍ୟ ସଚିବ ଉକ୍ତ ହତ୍ୟା ମାମଲାକୁ ମୁଖ୍ୟ ବିଚାରପତିଙ୍କ ନିକଟରେ ଉପସ୍ଥାପନ କରିବାପାଇଁ ପଂଜାବ ଏବଂ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କ ପାଖକୁ ଲେଖିଛନ୍ତି।

ସମ୍ବନ୍ଧିତ ଖବର