ନୂଆଦିଲ୍ଲୀ: ଗାୟକ-ରାଜନେତା ସିଦ୍ଧୁ ମୂସେୱାଲାଙ୍କ ହତ୍ୟାକାଣ୍ଡର ମାଷ୍ଟର୍ମାଇଣ୍ଡ୍ ବୋଲି ମନେକରାଯାଉଥିବା ଗ୍ୟାଙ୍ଗ୍ଷ୍ଟର୍ ଗୋଲ୍ଡି ବ୍ରାର୍କୁ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ କର୍ତ୍ତୃପକ୍ଷମାନେ କାଲିଫର୍ଣ୍ଣିଆରେ ଅଟକ ରଖିଥିବା କଥା ଗୁଇନ୍ଦାସୂତ୍ରରୁ ନିକଟ ଅତୀତରେ ଜଣାପଡ଼ିଥିଲା। ମାତ୍ର ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ଏକ ଭିଡିଓରେ ଦେଖି ଜାଣିବାକୁ ମିଳିଛି ଯେ ସେ ପୁଲିସ୍ ହାତାର ଧରାପଡ଼ିନି କି ଆମେରିକାରେ ବି ନାହିଁ। ଏପରି ଦାବି ନିଜେ ଗୋଲ୍ଡି କରିଛି।
ନିକଟରେ ଡିସେମ୍ବର ୨ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ବ୍ରାର୍କୁ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ କର୍ତ୍ତୃପକ୍ଷମାନେ କାଲିଫର୍ଣ୍ଣିଆରେ ଅଟକ ରଖିଥିବା କଥା କହିଥିଲେ। ଏହା ସହ ପଞ୍ଜାବ ପୁଲିସ୍ ତାକୁ ଖୁବ୍ ଶୀଘ୍ର ହେପାଜତରେ ନେବ ବୋଲି ଆଶ୍ବାସନା ଦେଇଥିଲେ। କିନ୍ତୁ, ଗୋଲ୍ଡି ବରାଡ଼ର ଅଟକ ସଂକ୍ରାନ୍ତରେ କାଲିଫର୍ଣ୍ଣିଆ ପୁଲିସ ପୂର୍ବରୁ ଔପଚାରିକ ଭାବେ କୌଣସି ବିବୃତି ଦେଇ ନଥିଲା।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତ ବୁଧବାର ଦିନ ସିଦ୍ଧୁ ମୂସେୱାଲାଙ୍କ ବାପା ବାଲ୍କୌର୍ ସିଂହ କହିଥିଲେ ଯେ, କାନଡାରେ ରହୁଥିବା ଗ୍ୟାଙ୍ଗ୍ଷ୍ଟର୍ ଗୋଲ୍ଡି ବ୍ରାର୍କୁ ଗିରଫ କରିବାରେ ଯିଏ ସହାୟତା କରିବ ତାଙ୍କୁ ସେ ୨ କୋଟି ଟଙ୍କା ଦେବେ। ବେର୍କାରେ ଗୋଟାଏ ବିବାହ ଅନୁଷ୍ଠାନରେ ଯୋଗ ଦେବା ନିମନ୍ତେ ସିଂହ ଅମୃତସର ଆସିଥିଲେ। ଗୋଲ୍ଡିକୁ ଧରିବା ଲାଗି ପ୍ରୟୋଜନ ହେଲେ ସେ ତାଙ୍କ ଜମି ବିକିବାକୁ ପଛେଇ ଯିବେ ନାହିଁ ବୋଲି ସେ ସେଠାରେ କହିଥିଲେ।