ମୋର୍ବି: ଗୁଜରାଟର ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ଅଦ୍ୟାବଧି ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି। ଗତ ଦଶନ୍ଧି ଭିତରେ ଏପରି ଦୁର୍ଘଟଣା ଦେଶରେ ଘଟି ନ ଥିଲା। ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଣ୍ଟା ତିଆରି ପାଇଁ ବିଖ୍ୟାତ ମୋର୍ବି ସହରରେ ଗୁଜରାଟ ନବବର୍ଷ ଉତ୍ସବକୁ ବିଷାଦରେ ଭରିଦେଇଛି। କିନ୍ତୁ କାହିଁକି ଏମିତି ଘଟିଲା ସେ ନେଇ ଅନେକ ପ୍ରଶ୍ନର ଉତ୍ତର ଏଯାଏ ମିଳିପାରି ନାହିଁ।
ମୋର୍ବି ପୌରସଂସ୍ଥାର ଅଧିକାରୀମାନେ କହୁଛନ୍ତି ସେମାନଙ୍କ ଅଗୋଚରରେ ବାଧ୍ୟତାମୂଳକ ଫିଟ୍ନେସ୍ ସାର୍ଟିଫିକେଟ୍ ବିନା ପୋଲକୁ ଖୋଲିଦିଆଯାଇଥିଲା। ପୋଲ ଖୋଲାଯାଇଛି ବୋଲି ସାଧାରଣ ଜନତା ଜାଣିଲେ ଓ ପୋଲରେ ଚଢ଼ିଲେ ଅଥଚ ପ୍ରଶାସନ କେମିତି ଜାଣିପାରିଲା ନାହିଁ? ସାଧାରଣ ଲୋକଙ୍କ ସ୍ବାର୍ଥ ଥିବା ଏତେବଡ଼ କାମ କେମିତି ଚାଲିଛି, କାମର ଅଗ୍ରଗତି କ’ଣ ହେଲା ସେ ବିଷୟରେ ପ୍ରଶାସନ କେମିତି ଉଦାସୀନ ରହିଲା? ସ୍ଥାନୀୟ ପୌର ଅଧିକାରୀମାନେ କହୁଛନ୍ତି, ୧୪୩ ବର୍ଷର ପୁରୁଣା ପୋଲଟି ଏକାବେଳକେ ୧୨୫ ଜଣ ଲୋକଙ୍କୁ ଧରିବା ପାଇଁ ଡିଜାଇନ କରାଯାଇଛି। ତାହେଲେ ୪୫୦ ଜଣ ଲୋକଙ୍କୁ ତା’ ଉପରେ ଚଢ଼ିବା ପାଇଁ କେମିତି ଅନୁମତି ଦିଆଗଲା? ମୋର୍ବି ମ୍ୟୁନିସିପାଲିଟି ଓ ଓରେଭା ଗ୍ରୁପ୍ ମଧ୍ୟରେ ଯେଉଁ ଚୁକ୍ତି ହୋଇଥିଲା, ସେହି ଅନୁଯାୟୀ ପୋଲଟି ମରାମତି ପାଇଁ ୮ରୁ ୧୨ ମାସ ବନ୍ଦ ରହିବା କଥା। ୭ ମାସରେ ପୋଲକୁ ଖୋଲିବା ପୂର୍ବରୁ ଏହାର ନିରାପତ୍ତା ଓ ଫିଟ୍ନେସ୍ ସାର୍ଟିଫିକେଟ୍ କିଏ ଯାଞ୍ଚ କରିଥିଲା? ଠିକା ସଂସ୍ଥା ଓରେଭା ଗ୍ରୁପ୍ ବିନା ଟିକେଟ୍ ନମ୍ବରରେ ଟିକେଟ୍ ଇସ୍ୟୁ କରୁଥିଲା କେମିତି? ଏଭଳି ଅନିୟମିତତାକୁ ମ୍ୟୁନିସିପାଲିଟି ଅନୁମତି ଦେଲା କାହିଁକି? ଟିକେଟ୍ରେ ନମ୍ବର ନ ଥିଲେ କେତେ ଲୋକ ଟିକେଟ୍ କାଟି ପୋଲରେ ଚଢ଼ିଲେ ଜଣାପଡ଼ିବ କେମିତି? ଠିକା ସଂସ୍ଥା ଆଉ ଏକ ଇଂଜିନିୟରିଂ ଫାର୍ମକୁ ସବ୍-କଣ୍ଟ୍ରାକ୍ଟ ଦେଇଥିଲା। କର୍ତ୍ତୃପକ୍ଷ ସବ୍-କଣ୍ଟ୍ରାକ୍ଟରଙ୍କ ଯୋଗ୍ୟତା ଓ ଦକ୍ଷତା ଯାଞ୍ଚ କରିଥିଲେ କି? ଏସବୁ ପ୍ରଶ୍ନର ଉତ୍ତର ମିଳିଲେ ପୋଲ ଭୁଶୁଡ଼ା ଘଟଣାର ଅସଲ ରହସ୍ୟ ଏବଂ କେଉଁମାନେ ଏଥିପାଇଁ ଦାୟୀ ତାହା ଜଣାପଡ଼ିବ।
ମୋଦୀଙ୍କ ଗସ୍ତ ପୂର୍ବରୁ ମୋର୍ବି ସିଭିଲ୍ ହସ୍ପିଟାଲ୍ର ନୂଆ ରୂପ, ବିରୋଧୀଙ୍କ କଡ଼ା ସମାଲୋଚନା
ମୋର୍ବି: ଗୁଜରାଟର ମୋର୍ବି ଜିଲ୍ଲା ସିଭିଲ୍ ହସ୍ପିଟାଲ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଇ ଆହତମାନଙ୍କୁ ଭେଟିଛନ୍ତି। ତେବେ ମୋଦୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ହସ୍ପିଟାଲ୍କୁ ନୂଆ ରୂପ ଦିଆଯାଇଛି। କାନ୍ଥ ଏବଂ ସିଲିଂର କିଛି ଅଂଶକୁ ରାତି ଅଧିଆ ରଙ୍ଗ ଦିଆଯାଇଛି। ନୂଆ ୱାଟର କୁଲର ଅଣାଯାଇଛି। ପ୍ରାୟ ୧୩ ଆହତ ଚିକିତ୍ସିତ ହେଉଥିବା ୨ଟି ୱାର୍ଡରେ ନୂଆ ବେଡସିଟ୍ ବିଛାଯାଇଛି। ଏହି କାର୍ଯ୍ୟକୁ ବିରୋଧୀ ଦଳ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ବିରୋଧୀ କଂଗ୍ରେସ ଏବଂ ଆପ୍ ଅଭିଯୋଗ କରିଛନ୍ତି ଯେ ବିଜେପି ମୋଦୀଙ୍କ ‘ଫଟୋସୁଟ୍’ ପାଇଁ ‘ଇଭେଣ୍ଟ ମ୍ୟାନେଜମେଣ୍ଟ’ରେ ବ୍ୟସ୍ତ। କଂଗ୍ରେସ ପକ୍ଷରୁ ଏକ ଟ୍ବିଟ୍ କରି କୁହାଯାଇଛି,‘ ମୋଦୀଙ୍କ ଫଟୋସୁଟ୍ରେ ଯେଭଳି କିଛି ଅସୁବିଧା ନହୁଏ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଟିକେ ବି ଲାଜ ନାହିଁ, ଅନେକ ଲୋକ ମଲେ କିନ୍ତୁ ସେମାନେ ଇଭେଣ୍ଟ୍ ମ୍ୟାନେଜମେଣ୍ଟରେ ବ୍ୟସ୍ତ ବୋଲି ବିରୋଧୀ କଂଗ୍ରେସ କହିଛି। ହସ୍ପିଟାଲ ନବୀକରଣର ଫଟୋ ଟ୍ବିଟ୍ କରି ଆପ୍ କହିଛି, ଯଦି ବିଜେପି ଗତ ୨୭ ବର୍ଷ ଧରି ଠିକ୍ରେ କାମ କରିଥାନ୍ତା ତେବେ ଏଭଳି ଭାବେ ରାତି ଅଧିଆ ହସ୍ପିଟାଲ ମରାମତି କରିବା ଦରକାର ପଡ଼ିନଥାନ୍ତା।
ମୋଦୀ ପ୍ରଥମେ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସହ କଥାହୋଇ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ। ଏହାପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ପୀଡ଼ିତମାନଙ୍କୁ ସବୁ ପ୍ରକାର ସହାୟତା ନିଶ୍ଚିତ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।