ନୂଆଦିଲ୍ଲୀ : କରୋନା ମହାମାରୀ ଏବଂ ରୁଷ୍-ୟୁକ୍ରେନ ଯୁଦ୍ଧ ସାରାବିଶ୍ବରେ କ୍ଷୁଧାକୁ ନେଇ ଏକ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଛି। ଆୟ ହରାଇବା ଓ ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ ସ୍ତରରେ ଥିବା ଯୋଗୁଁ ଲୋକମାନେ ନିଜ ପାଇଁ ଦୁଇ ମୁଠା ଖାଇବା ଯୋଗାଡ଼ କରିବାକୁ ସଂଘର୍ଷ କରୁଛନ୍ତି। ବିଶ୍ବର ୮୨ଟି ଦେଶର ଲୋକ ଏଭଳି ସଙ୍କଟ ଦେଇ ଗତି କରୁଛନ୍ତି। ଜୀବନ ବଞ୍ଚିବା ସେମାନଙ୍କ ଲାଗି କଷ୍ଟକର ହୋଇପଡ଼ିଛି। ନିଜେ କିମ୍ବା ନିଜ ପରିବାର ସଦସ୍ୟ ଓ ପିଲାଛୁଆଙ୍କ ପାଇଁ ସେମାନେ ଖାଇବା ଯୋଗାଡ଼ କରିପାରୁନାହାନ୍ତି। ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଗରିବ ଲୋକ। ସାରାବିଶ୍ବରେ ପ୍ରାୟ ୩୪.୫ କୋଟି ଲୋକ କ୍ଷୁଧାର ଦ୍ବାରଦେଶରେ ପହଞ୍ଚିଯାଇଛନ୍ତି। ଏହା ବ୍ୟତୀତ ୭ କୋଟି ଲୋକ କ୍ଷୁଧା କବଳରେ ପଡ଼ିବାକୁ ଯାଉଛନ୍ତି ବୋଲି ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ୍ ବେସ୍‌ଲି କହିଛନ୍ତି।

Advertisment

publive-image

ଜାତିସଂଘ ନିରାପତ୍ତା ପରିଷଦକୁ ଅବଗତ କରି ବେସ୍‌ଲି ଜଣାଇଛନ୍ତି ଯେ କରୋନା ମହାମାରୀ ପୂର୍ବ ସମୟ ତୁଳନାରେ ଦୁଇ ଗୁଣା ଅଧିକ ଲୋକ ଉତ୍କଟ ଖାଦ୍ୟ ସଙ୍କଟ ଦେଇ ଗତି କରୁଛନ୍ତି। ୪୫ଟି ଦେଶର ୫ କୋଟି ଲୋକ ଅପପୁଷ୍ଟିର ଶିକାର ହୋଇଛନ୍ତି। ଯେକୌଣସି ସମୟରେ ସେମାନେ ଦୁର୍ଭିକ୍ଷ କବଳରେ ପଡ଼ିବେ। ବର୍ତ୍ତମାନର ସ୍ଥିତିକୁ ସେ କ୍ଷୁଧାର ସୁନାମି ଭାବେ ବର୍ଣ୍ଣନା କରିଛନ୍ତି। ଏଥିପାଇଁ ସେ କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନର ପ୍ରଭାବ, ତୈଳ ଦରରେ ବୃଦ୍ଧି ଓ ରୁଷ୍‌-ୟୁ‌କ୍ରେନ ଯୁଦ୍ଧକୁ ଦାୟୀ କରିଛନ୍ତି। ଯୁଦ୍ଧ ଯୋଗୁଁ ଖାଦ୍ୟ, ତୈଳ ଓ ସାର ମହଙ୍ଗା ହୋଇଛି। ସେଥିପାଇଁ ୭ କୋଟି ଲୋକ କ୍ଷୁଧା କବଳରେ ପଡ଼ିବାକୁ ଯାଉଛନ୍ତି। ରୁଷ୍‌ ଓ ୟୁକ୍ରେନ୍‌ରୁ ଖାଦ୍ୟଶସ୍ୟ ଅନ୍ୟ ଦେଶକୁ ପଠାଇବା ଲାଗି ସହମତି ହୋଇଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ ରହିଛି। ଯଦି ଏବେଠାରୁ ପଦକ୍ଷେପ ଗ୍ରହଣ କରାନଯିବ ତେବେ ୨୦୨୩ରେ ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିବ। ବର୍ତ୍ତମାନ ଖାଦ୍ୟ ମୂଲ୍ୟ ଚିନ୍ତାର ବିଷୟ ହୋଇଥିବା ବେଳେ ଆସନ୍ତାବର୍ଷ ଖାଦ୍ୟ ଉପଲବ୍ଧ ରଖିବା ସବୁଠୁ ବଡ଼ ସମସ୍ୟା ଭାବେ ଉଭାହେବ।

ଗୃହ ଯୁଦ୍ଧ ଯୋଗୁଁ ଇଥିଓପିଆ, ନାଇଜେରିଆ, ସୁଦାନ ଓ ୟେମେନ୍‌ରେ ଖାଦ୍ୟ ସଙ୍କଟ ଦେଖାଦେଇଥିବା ବେଳେ ସୋମାଲିଆରେ ମଧ୍ୟ ସ୍ଥିତି ଖରାପ ହେଉଛି। ଆଫଗାନିସ୍ତାନ ମଧ୍ୟ ଖୁବଶୀଘ୍ର ଏହି ତାଲିକାରେ ସାମିଲ ହେବାକୁ ଯାଉଥିବା ବେସ୍‌ଲି କହିଛନ୍ତି। ଏମିତି ନୁହେଁ ଯେ ଏଭଳି ସ୍ଥିତି ଦେଖାଦେବ ବୋଲି କେହି ଜାଣିନଥିଲେ। ୨୦୨୦ରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଏନେଇ ଚେତାବନୀ ଦିଆଯାଇଥିଲା। କିନ୍ତୁ ସେଥିପ୍ରତି କେହି ଦୃଷ୍ଟି ଦେଇନଥିଲେ। ମହାମାରୀର ମୁକାବିଲା କରିବା ଲାଗି ବିଶ୍ବର ପ୍ରାୟ ସବୁ ଦେଶ ଆଗେଇ ଆସିବା ସହ ପାଣ୍ଠି ଯୋଗାଡ଼ କରି ଅସମ୍ଭବ ପ୍ରକାର କାର୍ଯ୍ୟ କରିଥିଲେ ଓ ଏକ ବଡ଼ ଧରଣର ସଙ୍କଟକୁ ଏଡ଼ାଇବାରେ ସଫଳ ହୋଇଥିଲେ। ମାତ୍ର ଏବେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ତାହା ପୂର୍ବ ସମୟଠାରୁ ଆହୁରି ଭୟଙ୍କର। ଏବେ ବହୁ କିଛି ଉପରେ କାହାର ନିୟନ୍ତ୍ରଣ ନାହିଁ।

publive-image The Indian Express

ଜାତିସଂଘର ମାନବିକ ମୁଖ୍ୟ ମାର୍ଟିନ ଗ୍ରିଫିଥ୍‌ସ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ଖାଦ୍ୟ ସଙ୍କଟ ଦେଖାଦେଇଛି ତାହା ପଛର ପ୍ରମୁଖ କାରଣ ହେଉଛି ସଂଘର୍ଷ ଓ ହିଂସା ଏବଂ ସେଥିରେ ପ୍ରାଣ ହରାଉଥିବା ସାଧାରଣ ନାଗରିକ। ଜୀବନ ବଞ୍ଚାଇବା ଲାଗି ବହୁ ପରିବାର ନିଜ ବାସସ୍ଥାନ ଓ ଜୀବିକା ସ୍ଥଳକୁ ପରିତ୍ୟାଗ କରି ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି। ଯାହାର ପ୍ରଭାବରେ ଅର୍ଥନୀତିର ଅଧୋଗତି ହେଉଛି ଓ ଖାଦ୍ୟ ମୂଲ୍ୟ ବଢ଼ୁଛି ବୋଲି ସେ କହିଛନ୍ତି। ୟେମେନ୍‌ରେ ୭ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଯୋଗୁଁ ୧.୯ କୋଟି ଲୋକ ଘୋର ଖାଦ୍ୟ ସଙ୍କଟ ଦେଇ ଗତି କରୁଛନ୍ତି। ୫,୩୮,୦୦୦ ଶିଶୁ ଘୋର ଅପପୁଷ୍ଟିର ଶିକାର ହୋଇଛନ୍ତି। ୯୦% ଖାଦ୍ୟକୁ ଆମଦାନି କରୁଥିବା ୟେମେନ୍‌ରେ ଦରଦାମ୍ ସ୍ଥିତି ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ସୁଦାନର ୬୦ ପ୍ରତିଶତ ନାଗରିକ ଖାଦ୍ୟ ସଙ୍କଟ ସାମ୍ନା କରୁଥିବା ସେ କହିଛନ୍ତି। ଇଥିଓପିଆରେ ୧.୩ କୋଟି ଲୋକ ବଞ୍ଚିବା ଲାଗି ଖାଦ୍ୟ ଚାହୁଛନ୍ତି। ନାଇଜେରିଆରେ ୪୧ ଲକ୍ଷ ଲୋକ ଖାଦ୍ୟ ସଙ୍କଟ ଦେଇ ଗତି କରୁଛନ୍ତି। ସେଠାରେ ୫୮୮,୦୦୦ ଜଣ ଲୋକ ଜରୁରୀକାଳୀନ ଭିତ୍ତିରେ ଖାଦ୍ୟ ଚାହୁଛନ୍ତି। ଏହି ସବୁ ଅଞ୍ଚଳରେ ଚାଲିଥିବା ସଂଘର୍ଷ ଓ ହିଂସାକୁ ବନ୍ଦ କରି ଲୋକମାନଙ୍କୁ କ୍ଷୁଧା ମୁହଁରୁ ବଞ୍ଚାଇବା ଲାଗି ଗ୍ରିଫିଥ୍‌ସ ଜାତିସଂଘ ନିରାପତ୍ତା ପରିଷଦକୁ ଆହ୍ବାନ ଦେଇଛନ୍ତି।