କରୋନା ପରେ ବ୍ଲାକଫଙ୍ଗସ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ସରକାର, ଆଉ ୫ଟି କମ୍ପାନୀକୁ ଦେଲେ ଅନୁମତି

ନୂଆଦିଲ୍ଲୀ: ଦେଶରେ ବ୍ଲାକଫଙ୍ଗସ ବଢୁଥିବାବେଳେ ଏହା ସହ ଜଡିତ ଔଷଧର ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି । ଦେଶରେ ବଢୁଥିବା ବ୍ଲାକଫଙ୍ଗସ(ମୁକର୍ମାଇକୋସିସ୍) ପାଇଁ ବ୍ୟବହୃତ ଔଷଧର ଉତ୍ପାଦନ ପାଇଁ କେନ୍ଦ୍ର ସରକାର ଆହୁରି ୫ଟି ନୂତନ କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରିଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି କମ୍ପାନୀ ଦେଶରେ ଆମ୍ଫୋଟେରିସିନ୍ ବି ଟିକା ଉତ୍ପାଦନ କରୁଥିଲେ। ଏଥିମଧ୍ୟରେ ଭାରତ ସେରମ୍ ଆଣ୍ଡ ଭ୍ୟାକସିନ ଲିମିଟେଡ୍, ବିଡ଼ିଆର ଫାର୍ମାସ୍ୟୁଟିକାଲ୍ସ, ସନ୍ ଫାର୍ମା, ସିପ୍ଲା, ଲାଇଫ୍ କେୟାର ଇନୋଭେସନ୍ ଆମ୍ଫୋଟେରିସିନ୍ ବି ଟିକା ଉତ୍ପାଦନ କରୁଥିଲେ |

ଅନ୍ୟପଟେ ଔଷଧ ନିର୍ମାଣକାରୀ କମ୍ପାନୀ ମାଇଲାନ୍ ଲ୍ୟାବ ଦେଶ ବାହାରୁ ଔଷଧ ଆମଦାନୀ କରୁଥିବାବେଳେ ସରକାର ବର୍ତ୍ତମାନ ନୂତନ ୫ଟି କମ୍ପାନୀକୁ ଔଷଧ ଉତ୍ପାଦନ ପାଇଁ ଅନୁମତି ଦେଇଛନ୍ତି | ଏହି ସବୁ କମ୍ପାନୀଗୁଡ଼ିକ ହେଲେ ନାଟ୍କୋ ଫାର୍ମାସ୍ୟୁଟିକାଲ୍ସ, ଆଲେମ୍ବିକ୍ ଫାର୍ମାସ୍ୟୁଟିକାଲ୍ସ, ଗୁଫିକ୍ ବାୟୋ ସାଇନ୍ସ, ଏମ୍କୁର ଫାର୍ମାସ୍ୟୁଟିକାଲ୍ସ ଏବଂ ଲାଇକା |

ଏହା ପରେ ଦେଶରେ ଆମ୍ଫୋଟେରିସିନ୍ ବି ଟିକା ଉତ୍ପାଦନ କରୁଥିବା କମ୍ପାନୀ ସଂଖ୍ୟା ୧୦ରେ ପହଁଞ୍ଚିଛି | ସୂଚନାନୁସାରେ, ଦେଶର ପୁରୁଣା ୫ଟି କମ୍ପାନୀ ମେ ମାସରେ ୧ ଲକ୍ଷ ୬୩ ହଜାର ୭୫୨ ଭାଏଲ ଉତ୍ପାଦନ କରିଥିଲେ। ଏହି କ୍ଷମତାକୁ ଜୁନ୍ ମାସରେ ୨ ଲକ୍ଷ ୫୫ ହଜାର ୧୧୪କୁ ବୃଦ୍ଧି କରିବାର ଯୋଜନା ଅଛି | ମେ ମାସରେ ୩ ଲକ୍ଷ ୬୩ ହଜାର ଭାଏଲ ଦେଶକୁ ଆମଦାନୀ ହୋଇଥିଲା | ବର୍ତ୍ତମାନ ଜୁନ୍ ମାସରେ ୩ ଲକ୍ଷ ୧୫ ହଜାର ଭାଏଲ ଆମଦାନୀ ହେବ | ଏଭଳି ପରିସ୍ଥିତିରେ ଜୁନ୍ ମାସରେ ଦେଶରେ ମୋଟ ୫ ଲକ୍ଷ ୭୦ ହଜାର ୧୧୪ ଟିକା (ଭାଏଲ) ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର