ଦେଶ ଛାଡ଼ିବେ ୮,୦୦୦ ଧନୀ; ସିଙ୍ଗାପୁର, ୟୁରୋପ, ଦୁବାଇରେ ରହିବେ

ନୂଆଦିଲ୍ଲୀ : ଚଳିତ ବର୍ଷ ପ୍ରାୟ ୮ ହଜାର ଧନୀ ଦେଶ ଛାଡ଼ି ଅନ୍ୟତ୍ର ପଳାଇବେ। ‌ହେନ୍‌ଲି ଗ୍ଲୋବାଲ ସିଟିଜେନ୍ ରିପୋର୍ଟରେ ଏହା ଆକଳନ କରାଯାଇଛି। ଦେଶ ଛାଡ଼ିବା ପଛର ପ୍ରମୁଖ କାରଣ ହେଉଛି କଠୋର ଟିକସ ନିୟମ ଓ ବହୁ ତଥ୍ୟା ପ୍ରଦାନ କରିବାର ବାଧ୍ୟବାଧକତା। ଏହା ବ୍ୟତୀତ ଏକ ଦୃଢ଼ ପାସ୍‌ପାର୍ଟ ପାଇବା ଆଶାରେ ମଧ୍ୟ କିଛି ଧନୀ ଦେଶ ଛାଡ଼ିବାକୁ ଯୋଜନା ରଖିଛନ୍ତି।

‌ଧନୀମାନେ ଦେଶ ଛାଡ଼ିବାର ବିଭିନ୍ନ କାରଣ ରହିଛି। ସେଥିରୁ ଗୋଟିଏ ହେଉଛି ଭାରତରେ ପାରମ୍ପରିକ ଶିଳ୍ପର ବିକାଶ ଲାଗି କ୍ଷେତ୍ର ପ୍ରସ୍ତୁତ ରହିଥିବା ବେଳେ ପ୍ରଯୁକ୍ତି କଂପାନିଗୁଡ଼ିକ କିନ୍ତୁ ବିଶ୍ବ ବଜାରକୁ ଆଖିରେ ରଖି କାରବାର କରିବାକୁ ଚାହୁଛନ୍ତି। ସେଥିପାଇଁ ସେମାନେ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟ କିଛି ଧନୀ ବ୍ୟକ୍ତି ଉନ୍ନତ ଜୀବନ ଧାରଣ ମାନ, ଭଲ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ଥିବା ଦେଶ ଯିବାକୁ ଚାହୁଛନ୍ତି। କଠୋର ଟିକସ ନିୟମକୁ ନେଇ ଚିନ୍ତିତ ଥିବା ଧନୀମାନେ ମଧ୍ୟ ଦେଶ ଛାଡ଼ିବାକୁ ଚାହୁଛନ୍ତି। ଭାରତ ଛାଡ଼ୁଥିବା ଧନୀ ବ୍ୟକ୍ତିମାନେ ବିଶେଷ କରି ୟୁରୋପୀୟ ଦେଶ, ଦୁବାଇ ଓ ସିଙ୍ଗାପୁରରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି। ସେମାନଙ୍କ ପସନ୍ଦ ତାଲିକାରେ ସିଙ୍ଗାପୁର ପ୍ରଥମ ସ୍ଥାନରେ ରହିଛି। ଦୁବାଇର ଗୋଲ୍‌ଡେନ୍ ଭିସା ମଧ୍ୟ ସେମାନଙ୍କ ପାଇଁ ଆଉ ଏକ ଆକର୍ଷଣ। ପର୍ତୁଗାଲ୍, ମାଲ୍‌ଟା ଓ ଗ୍ରିସ୍‌ରେ ମଧ୍ୟ କିଛି ଧନୀ ରହିବାକୁ ଚାହୁଛନ୍ତି।
୨୦୨୨ରେ ନିଜ ଦେଶ ଛାଡ଼ି ୟୁଏଇକୁ ସର୍ବାଧିକ ୪,୦୦୦, ଅଷ୍ଟ୍ରେଲିଆକୁ ୩,୫୦୦ ଓ ସିଙ୍ଗାପୁରକୁ ୨,୮୦୦, ଇସ୍ରାଏଲ୍‌କୁ ୨୫୦୦, ସ୍ବିଜରଲ୍ୟାଣ୍ଡ୍‌କୁ ୨୨୦୦ ଓ ଆମେରିକାକୁ ୧୫୦୦ ଧନୀ ଯିବେ ଓ ସେଠାରେ ବସବାସ କରିବେ।

My Choice Tourism

ପ୍ରଯୁକ୍ତି କ୍ଷେତ୍ରରେ ପ୍ରତିଷ୍ଠା ହାସଲ କରିଥିବା ଯୁବ ଉଦ୍ୟୋଗୀମାନେ ସାରା ବିଶ୍ବରେ ନିଜ ବ୍ୟବସାୟକୁ ପହଞ୍ଚାଇବାର ଅଭିଳାଷ ରଖିଛନ୍ତି। ସେଥିପାଇଁ ସେମାନେ ବିଶ୍ବର କେଉଁ କୋଣରେ ନିବେଶର କ’ଣ ସମ୍ଭାବନା ରହିଛି ତାହା ଜାଣିବାକୁ ଚାହୁଛନ୍ତି। ‌ସେଥିପାଇଁ ସେମାନେ ଏଭଳି ଏକ ସ୍ଥାନରେ ରହିବାକୁ ଯାଉଛନ୍ତି ଯେଉଁଠାରେ ଏହି ସବୁ କାମ କରିବାରେ ସେମାନଙ୍କୁ ବିଶେଷ ଅସୁବିଧା ହେବ ନାହିଁ। ଏହି ‌ରିପୋର୍ଟରେ ଏହା ମଧ୍ୟ ଆକଳନ କରାଯାଇଛି ଯେ ଆସନ୍ତା ୧୦ ବର୍ଷରେ ଦେଶରେ ମିଲିଓନେୟାର (୧୦ ନିୟୁତ ଡଲାରର ମାଲିକ) ଓ ବିଲିଓନେୟାର (୧୦୦ କୋଟି ଡଲାରର ମାଲିକ)ଙ୍କ ସଂଖ୍ୟାରେ ୮୦% ବୃଦ୍ଧି ହେବ। ଆମେରିକାରେ ଏହି ବୃଦ୍ଧି ହାର ୨୦%, ଫ୍ରାନ୍ସ, ଜର୍ମାନି, ଇଟାଲି ଓ ବ୍ରିଟେନ୍‌ରେ ସେହି ହାର ୧୦% ରହିବ।

ରିପୋର୍ଟରେ କୁହାଯାଇଛି ଯେ ଭାରତ ଯେଉଁ ସଂଖ୍ୟକ ନୂଆ ମିଲିଓନେୟାର ସୃଷ୍ଟି କରୁଛି ତାହାକୁ ଯଦି ଦୃଷ୍ଟି ଦିଆଯିବ ତେବେ ଦେଶ ଛାଡ଼ୁଥିବା ଧନୀଙ୍କ ସଂଖ୍ୟା ସେହି ତୁଳନାରେ ବହୁତ କମ୍। ତେଣୁ ଭାରତର ବିଶେଷ କିଛି କ୍ଷତି ହେବନି। ଦେଶରେ ଜୀବନ ଧାରଣ ମାନରେ ଉନ୍ନତି ହୋଇଥିବାରୁ ପ୍ରତିବର୍ଷ ବାହାରେ ରହୁଥିବା କିଛି ଧନୀ ଭାରତ ପ୍ରତ୍ୟାବର୍ତ୍ତନ ମଧ୍ୟ କରୁଛନ୍ତି। ଆଗାମୀ ଦିନରେ ସେଭଳି ଧନୀଙ୍କ ଆଗମନ ଆହୁରି ବଢ଼ିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର