ସାମାଜିକ ଗଣମାଧ୍ୟମରେ ସାଂପ୍ରଦାୟିକ ବିଭେଦର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି। ବୁଦ୍ଧିଜୀବୀ ବିଭାଜିତ ଓ ମୋଟା ମୋଟି ନିରବ। ଓବାମା କହିବା ପରି ଏମିତିରେ ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହୁଅନ୍ତା। ହେଲେ ଆମ ଗଣତାନ୍ତ୍ରିକ ଭିତ୍ତିଭୂମିର ଦୃଢ଼ତା ଓ ଆଉ କେତେକ ଫ୍ୟାକ୍ଟର ଯୋଗୁଁ ସେପରି କିଛି ବିପଦର ସୁଯୋଗ ନାହିଁ। ତେବେ ତଳସ୍ତରରେ ଅତ୍ୟନ୍ତ କଞ୍ଚା ଭାଷାରେ ଗାଳିଫଜିତ୍ ଚାଲିଛି। ହେଲେ ସଚେତନ ନାଗରିକମାନେ ଶାଳୀନତା ରକ୍ଷା ପୂର୍ବକ ଯୁକ୍ତିତର୍କରେ ମାତିଥିବା ଯୋଗୁଁ ହିଂସ୍ର ଧ୍ରୁବୀକରଣ ଆଡ଼କୁ କଥା ଯାଉନାହିଁ। ଦକ୍ଷିଣପନ୍ଥୀ ମୁସ୍ଲିମ ନେତା ଅଶଦୁଦ୍ଦିନ ଅୱେସି ସଂପ୍ରତି ଦୁଇଟି ପ୍ରସଙ୍ଗରେ ମୁଖରିତ ହୋଇଉଠିଛନ୍ତି। ପରିବା ଦର ବୃଦ୍ଧି ପାଇଁ ମିଆଁ ବେପାରୀମାନେ ଦାୟୀ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମ୍ମାଙ୍କ ମତମନ୍ତବ୍ୟକୁ ସେ କଡ଼ା ଭାଷାରେ ସମାଲୋଚନା କରୁଛନ୍ତି।
ଅନ୍ୟଟି ହେଉଛି ସମାନ ନାଗରିକ ସଂହିତା (ୟୁସିସି)। ‘ପୃଥିବୀରେ ଭାରତ ଛଡ଼ା ଏମିତି ଆଉ କୋଉ ଦେଶ ଅଛି ଯେଉଁଠାରେ ଦୁଇଟି ଭିନ୍ନ ନାଗରିକ ସଂହିତା ଅଛି’ ବୋଲି ସଂଘ ପରିବାର ପକ୍ଷରୁ ହେଉଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ଏଆଇଏମ୍ଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅୱେସି। ଆମକୁ ବୁଦ୍ଦୁ ବନାଇବାକୁ ଏପରି ପ୍ରଶ୍ନ କରାଯାଉଛି ବୋଲି ସେ କହିଛନ୍ତି। ଇଂଲଣ୍ଡ ଓ ସ୍କଟଲ୍ୟାଣ୍ଡ ପାଇଁ ଦୁଇଟି ପୃଥକ୍ ଫୌଜଦାରୀ ନିୟମ, ଶ୍ରୀଲଙ୍କା ଓ ସିଙ୍ଗାପୁରରେ ମଧ୍ୟ ଦ୍ବୈତନିୟମ ରହିଛି। ଇସ୍ରାଏଲ୍ର ସେୟରୀ ମୁସଲମାନଙ୍କ ପାଇଁ ସରିଆ ନିୟମ ରହିଛି। ତେଣୁ ଭୁଲ୍କଥାଟିକୁ ପ୍ରଚାର କରି ଏମାନଙ୍କ ତୁଷ୍ଟୀକରଣ କରାଯାଇଥିବା ଧାରଣା ସୃଷ୍ଟି କରାଯାଉଛି। ଅୱେସିଙ୍କ ମତମନ୍ତବ୍ୟକୁ ପ୍ରଶ୍ନକରାଯାଇଛି। ୟୁସିସି ଲାଗୁ ହେଲେ ମୁସଲ୍ମାନମାନଙ୍କର କିଛି ଅସୁବିଧା ହେବ କି? ଗୋଟିଏ ଦେଶରେ ଦୁଇଟି ନିୟମ କାହିଁକି ରହିବ? ଆମକୁ ଗୋଲାମୀର ଜଂଜିରରେ ରଖିଥିବା ଇଂଲଣ୍ଡର ଉଦାହରଣ କାହିଁକି ଦେଉଛନ୍ତି? ପ୍ରସଙ୍ଗ ବାହାରକୁ ଯାଇ ଜଣେ ଅୱେସିଙ୍କୁ ପରମର୍ଶ ଦେଇ କହିଛନ୍ତି, ଆପଣ ଆଗ ଇଂଲଣ୍ଡରୁ ଆମ କୋହିନୂର ହୀରା ଫେରାଇଆଣନ୍ତୁ, ତା’ପରେ ଯାଇ ଅନ୍ୟ କଥା। ଅୱେସିଙ୍କ ପ୍ରତି କଠୋର ହୋଇଉଠିଛନ୍ତି କିଛି ବ୍ୟକ୍ତି। କହିଛନ୍ତି, ‘‘ୟୁସିସି ଆସିବ ହିଁ ଆସିବ। ଯଦି ପସନ୍ଦ ଆସୁନି, ପାକିସ୍ତାନ ଯିବାକୁ ଆପଣଙ୍କ ପାଖରେ ବିକଳ୍ପ ରହିଛି। ସେଠି ଆପଣ ପର୍ସନାଲ ଲ’ ପାଇବେ, ଆପଣଙ୍କୁ ସରିଆ ନିୟମ ବି ମିଳିବ। ଏ ଦେଶ କିନ୍ତୁ ବାବାସାହେବଙ୍କ ସମ୍ବିଧାନ ଅନୁସାରେ ଚାଲିବ, ସରିଆ ଅନୁସାରେ ନୁହେଁ।’’