ରାଜସ୍ଥାନରେ ବେକାରି ସ୍ଥିତି ଉତ୍କଟ:୫ ପିଅନ ଚାକିରି ପାଇଁ ୨୩ ହଜାର ଆଶାୟୀ

ପରିବା ବିକୁଛନ୍ତି ସ୍ନାତକୋତ୍ତର ଛାତ୍ର

ଜୟପୁର: ରାଜସ୍ଥାନର ବେକାରି ସ୍ଥିତି ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ରାଜ୍ୟ ସରକାରଙ୍କ ୫ଟି ପିଅନ ଚାକିରି ପାଇଁ ୨୩ ହଜାର ପ୍ରାର୍ଥୀ ଆବେଦନ କରିଥିବା ଘଟଣା ଏବେ ଲୋକଲୋଚନକୁ ଆସିଛି। ଘଟଣାଟି ଏବର ନୁହେଁ। ୨୦୧୫ରେ ଏହି ଘଟଣା ଘଟିଥିଲା ବେଳେ ଏବେ ରାଜ୍ୟରେ ଏହାକୁ ନେଇ ଆଲୋଚନା ଜୋର୍‌ଦାର ହୋଇଛି। ଏହି ପିଅନ ଚାକିରି ପାଇଁ ସ୍ନାତକଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ହାସଲ କରିଥିବା ପ୍ରାର୍ଥୀମାନେ ଆବେଦନ କରିଥିଲେ ବୋଲି ଜଣାପଡ଼ିଛି। ପିଅନ ଚାକିରି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ଥିଲେ ରାମ କ୍ରିଶନ୍‌ ମୀନା (୨୯)। ଇତିହାସରେ ସ୍ନାତକୋତ୍ତର ହାସଲ କରିଥିଲେ ହେଁ ୩ ବର୍ଷ ହେଲା ସେ ବେକାର। ତେଣୁ ବର୍ତ୍ତମାନ ରାଜ୍ୟ ରାଜଧାନୀ ଜୟପୁରଠାରୁ ୮୦ କିଲୋମିଟର ଦୂର ଡାଉସା ବସ୍‌ ଷ୍ଟାଣ୍ଡରେ ପରିବା ବିକ୍ରି କରୁଛନ୍ତି।

୨୦୧୫ରେ ପିଅନ ଚାକିରି ପାଇଁ ଆବେଦନ କରି ବିଫଳ ହେବା ପରେ ଅନନ୍ୟୋପାୟ ହୋଇ ଶେଷରେ ସେ ପରିବା ବେପାର କରୁଛନ୍ତି। ତେବେ ପିଅନ ଚାକିରି ପାଇଁ ଆବେଦନ କରିଥିବା ଆଶାୟୀଙ୍କ ମଧ୍ୟରେ ରାମ୍‌ କ୍ରିଶନ୍‌ ଏକାକୀ ଉଚ୍ଚ ଡିଗ୍ରୀଧାରୀ ନଥିଲେ। ୨୩ହଜାର ଆବେଦନକାରୀଙ୍କ ମଧ୍ୟରେ ୧୨୯ ଇଞ୍ଜିନିୟର, ୨୩ ଓକିଲ, ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଏବଂ ୩୯୩ ସ୍ନାତକୋତ୍ତର ପ୍ରାର୍ଥୀ ଥିଲେ। ରାଜଭବନରେ ଖାଲିଥିବା ୫ଟି ପିଅନ ଚାକିରି ପାଇଁ ସେମାନେ ଆବେଦନ କରିଥିଲେ। ଉଲ୍ଲେଖଯୋଗ୍ୟ, ୫ ଦିନ ପୂର୍ବେ ରାଜ୍ୟ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କହିଥିଲେ, ତାଙ୍କ ସରକାର ଦକ୍ଷତା ତାଲିମ ଜରିଆରେ ଘରୋଇ କ୍ଷେତ୍ରରେ ୧୬ ଲକ୍ଷ ନିଯୁକ୍ତି ଯୋଗାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର