ଭବିଷ୍ୟନିଧି ପାଣ୍ଠିରେ ଉଭୟ ନିଯୁକ୍ତିଦାତା ଓ କର୍ମଚାରୀମାନଙ୍କ ପାଇଁ ୧୨ ପ୍ରତିଶତ ଲେଖାଁଏ ଭରଣା କରିବେ ସରକାର

ନୂଆଦିଲ୍ଲୀ: କରୋନା ପରବର୍ତ୍ତୀ ସମୟରେ ଦେଶର ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନେ ଯେପରି ମାସ ଶେଷରେ ପାଉଥିବା ବେତନରେ କିଛି ଅଧିକ ଅର୍ଥ ଘରକୁ ନେଇ ପାରିବେ ଓ ସେମାନଙ୍କ ନିଯୁକ୍ତିଦାତାମାନଙ୍କ ଉପରେ ଆର୍ଥିକ ଚାପ କିଛିଟା କମିବ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କ ପ୍ୟାକେଜ୍‌ରେ ମଧ୍ୟ ଏଥିପାଇଁ ବ୍ୟବସ୍ଥା ରଖିଛନ୍ତି। ଏସଂପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କହିଛନ୍ତି ଯେ ଘରୋଇ କ୍ଷେତ୍ରରେ ଯେଉଁ କର୍ମଚାରୀ ଓ ଶ୍ରମିକମାନେ କାର୍ଯ୍ୟ କରୁଥିଲେ ଓ ଯେଉଁମାନଙ୍କର ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାବଦରେ ବେତନରୁ କାଟ ହେଉଥିଲା ସେମାନଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ଏହି ଯୋଜନାରେ ବ୍ୟବସ୍ଥା ରଖିଛନ୍ତି।
ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ନିଯୁକ୍ତିଦାତାମାନଙ୍କ ପାଇଁ ଇପିଏଫ୍‌ ବାବଦ ଦେୟ ଆଗାମୀ ତିନି ମାସ (ଅର୍ଥାତ୍‌ ଜୁନ୍‌, ଜୁଲାଇ ଓ ଅଗଷ୍ଟ) ପାଇଁ ୧୨ ପ୍ରତିଶତରୁ ୧୦ ପ୍ରତିଶତକୁ କମାଇ ଦେଇଛନ୍ତି ସରକାର। କିନ୍ତୁ, ସରକାରୀ ଉଦ୍ୟୋଗ ପାଇଁ ଏହା ୧୨ ପ୍ରତିଶତ ରହିଛି। ତେବେ ଏ ବାଦଦରେ ଉଭୟ ନିଯୁକ୍ତିଦାତା ଓ ଶ୍ରମିକ/ କର୍ମଚାରୀମାନଙ୍କ ପାଇଁ ଇପିଏଫ୍‌ ବାବଦ ୧୨ ପ୍ରତିଶତ ଲେଖାଁଏ ଅତିରିକ୍ତ ଦେୟ କେନ୍ଦ୍ର ସରକାରଙ୍କର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଭରଣା କରାଯିବ। ଏ ବାବଦରେ କେନ୍ଦ୍ର ସରକାର ୨,୫୦୦ କୋଟିର ଅତିରିକ୍ତ ଦେୟ ଭରଣା କରିବେ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବ ତିନିମାସ (ଅର୍ଥାତ୍‌ ମାର୍ଚ୍ଚ, ଅପ୍ରେଲ ଓ ମେ) ପାଇଁ ମଧ୍ୟ ଉଭୟ ନିଯୁକ୍ତିଦାତା ଓ ଶ୍ରମିକ/ କର୍ମଚାରୀମାନଙ୍କ ପାଇଁ ଇପିଏଫ୍‌ ବାବଦ ୧୨ ପ୍ରତିଶତ ଲେଖାଁଏର ଅତିରିକ୍ତ ଦେୟ କେନ୍ଦ୍ର ସରକାର ଭରଣା କରିଥିଲେ।

ସମ୍ବନ୍ଧିତ ଖବର