ଟିକାୟତଙ୍କ ଲୁହ ଦେଖି ଅଧିକ ଚାଷୀ ଠୁଳ

ନୂଆଦିଲ୍ଲୀ : ଗୁରୁବାର ରାତିରେ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମା ଗାଜିପୁର ଠାରେ ପୁଲିସ କାର୍ଯ୍ୟାନୁଷ୍ଠାନ ରୋକିବା ଏବଂ ଚାଷୀମାନଙ୍କୁ ପୁଣି ଧାରଣାସ୍ଥଳକୁ ଫେରାଇ ଆଣିବାରେ ଚାଷୀ ନେତା ରାକେଶ ଟିକାୟତ ସଫଳ ହୋଇଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାପରେ ସେ ଲୁହ ଛଳ ଛଳ ଆଖିରେ ପୁଲିସର ଗୁଳିକୁ ସାମନା କରିବେ ଅଥବା ଆତ୍ମହତ୍ୟା କରିବେ ବୋଲି ଘୋଷଣା କରିବାର ଭିଡିଓ କ୍ଲିପିଂ ଗଣମାଧ୍ୟମରେ ପ୍ରସାରିତ ହେବା ମାତ୍ରେ ବିପୁଳ ସଂଖ୍ୟାରେ ଚାଷୀ ତାଙ୍କୁ ସମର୍ଥନ କରି ପୁଣି ଆନ୍ଦୋଳନସ୍ଥଳରେ ଜମା ହୋଇଥିଲେ। ରାକେଶ ଟିକାୟତଙ୍କ ଭାରତୀୟ କିଷାନ ସଂଘ(ବିକେୟୁ) ଏବେ ଚାଷୀ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଉଥିବା ବେଳେ ଅନେକ ସଂଗଠନ ହିଂସାକୁ ବିରୋଧ କରି ଆନ୍ଦୋଳନରୁ ଓହରିଛନ୍ତି। ଗତ ସନ୍ଧ୍ୟାରେ ଦିଲ୍ଲୀ ସୀମାନ୍ତ ପ୍ରତିବାଦସ୍ଥଳଗୁଡ଼ିକରୁ ହଜାର ହଜାର ଆନ୍ଦୋଳନରତ ଚାଷୀଙ୍କୁ ଘଉଡ଼ାଇବା ପାଇଁ ଉତ୍ତରପ୍ରଦେଶ ଓ ହରିଆଣା ସରକାର ପୁଲିସକୁ ନିର୍ଦ୍ଦେଶ କରିଥିଲେ। ଗାଜିପୁର ସୀମାରେ ବିପୁଳ ସଂଖ୍ୟାରେ ପୁଲିସ ବଳ ପହଞ୍ଚି ଚାଷୀଙ୍କୁ ଗୋଡ଼ାଇବାରୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଚାଷୀମାନଙ୍କ ଏପରି ପଳାୟନ ଦେଖି ଟିକାୟତ କାନ୍ଦ କାନ୍ଦ ହୋଇ ଟିଭି କ୍ୟାମେରା ଆଗରେ ଭାବପ୍ରବଣତା ପ୍ରଦର୍ଶନ ସ୍ବରୂପ ସେ ଆଉ ସମ୍ଭାଳି ରହିପାରିବେନି ବୋଲି କହିଥିଲେ।

ସମ୍ବନ୍ଧିତ ଖବର