ବ୍ୟାଙ୍କ ଆଣିଲା ଅଫର, କରୋନା ଟିକା ନେଲେ ଜମାରାଶି ଉପରେ ମିଳିବ ଅତିରିକ୍ତ ସୁଧ

ନୂଆଦିଲ୍ଲୀ: କରୋନା ଟିକା ନେଲେ ଫିକ୍ସଡ଼ ଜମାରାଶି ଉପରେ ମିଳିବ ଅତିରିକ୍ତ ସୁଧ | ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଆଜି ଏବାବଦରେ ବଡ ଘୋଷଣା କରିଛି | କରୋନା ଟିକା ନେବାକୁ ଏବେବି କିଛି ଲୋକଙ୍କ ମନରେ ଭୟ ଥିବାରୁ ଓ ଟିକାକରଣ ପାଇଁ ସେତେ ଆଗ୍ରହ ଦେଖାଉନଥିବାରୁ ସେମାନଙ୍କୁ ଆକୃଷ୍ଟ କରିବାକୁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ନୂଆ ଘୋଷଣା କରିଛି | ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ସ୍କିମ୍ ଅଧୀନରେ ୨୫ ଆଧାର ପଏଣ୍ଟ (୦.୨୫ ପ୍ରତିଶତ) ଅଧିକ ରିଟର୍ନ ପ୍ରଦାନ କରିବ |

ଅର୍ଥାତ ଯିଏ ବି କରୋନା ଟିକା ନେବେ, ସେମାନଙ୍କୁ ୦.୨୫ ପ୍ରତିଶତ ଅତିରିକ୍ତ ସୁଧ ହାର ଦିଆଯିବ | ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ “ଇମ୍ୟୁନ୍ ଇଣ୍ଡିଆ ଡିପୋଜିଟ ଯୋଜନା” ଅଣାଯାଇଛି | ଏହି ଯୋଜନାରେ ୧୧୧ ଦିନ ପାଇଁ ଆପଣ ଟଙ୍କା ରଖିପାରିବେ | ଏହି ଯୋଜନାରେ ଯଦି ଆପଣ ଟିକା ନେଇଥିବେ, ସେମାନଙ୍କୁ ଜମା ଉପରେ ୦.୨୫% ଅତିରିକ୍ତ ସୁଧ ହାର ପ୍ରଦାନ କରାଯିବ।

ବ୍ୟାଙ୍କ ବର୍ତ୍ତମାନ ତିନି ବର୍ଷରୁ ଅଧିକ ଜମା ଉପରେ ୫.୧୦% ସୁଧ ହାର ପ୍ରଦାନ କରୁଛି। ତେବେ ଯଦି ଆପଣ ଟିକା ନେବେ ତେବେ ବ୍ୟାଙ୍କ ପକ୍ଷରୁ ଜମା ଯୋଜନା ଅଧୀନରେ ଏହାର ସୁଧ ହାର ୫.୩୫ ପ୍ରତିଶତ ହେବ। ତେବେ ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁଧ ହାର ଅଧିକ ରହିଛି | ଅର୍ଥାତ ଯଦି କେହି ବରିଷ୍ଠ ନାଗରିକ ଟିକା ନେଇଥାନ୍ତି ଓ ଏହି ଜମା ଯୋଜନା ଅଧୀନରେ ଟଙ୍କା ରଖୁଥାନ୍ତି ତେବେ ସେମାନଙ୍କୁ ୦.୨୫ ପ୍ରତିଶତ ନୁହେଁ ବରଂ ୦.୫୦ ପ୍ରତିଶତ ଅଧିକ ସୁଧ ମିଳିବ | ଅର୍ଥାତ ବରିଷ୍ଠ ନାଗରିକଙ୍କୁ ୫.୬୦ପ୍ରତିଶତ ସୁଧ ହାର ମିଳିବ |

ସମ୍ବନ୍ଧିତ ଖବର