କେଜ୍ରିଓ୍ଵାଲ୍‌ଙ୍କ ଶପଥ ଉତ୍ସବରେ ‘ଲିଟଲ୍‌ ମଫଲର୍‌ମେନ୍‌’ଙ୍କ ଗହଳି

ନୂଆଦିଲ୍ଲୀ: କେଜ୍ରିଓ୍ଵାଲ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ଯୋଗ ଦେବାକୁ କେତେ ଜଣ ପିଲା ତାଙ୍କ ପରି (କେଜ୍ରିଓ୍ଵାଲ୍‌) ବେଶଭୂଷା ହୋଇ ଆଜି ରାମଲୀଳା ମୈଦାନକୁ ଆସିଥିଲେ।

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜାଇଦ୍‌ ହୁସେନ୍‌। ଶପଥ ଗ୍ରହଣ ଉତ୍ସବସ୍ଥଳୀକୁ ଯିବା ନିମନ୍ତେ ସେ ଧାଡ଼ିରେ ଠିଆହୋଇଥିଲେ। ଜାଇଦ୍‌ଙ୍କ ମା’ ରୁକ୍‌ସାନା ବେଗମ୍‌ ଗଣମାଧ୍ୟମକୁ କହିଛନ୍ତି ଯେ ସେମାନେ ବନ୍‌ଓ୍ଵାରୁ ଆସିଛନ୍ତି। କେଜ୍ରିଓ୍ଵାଲ୍‌ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଭଲ କାମ କରିଛନ୍ତି।

ମାଆଙ୍କ ନିର୍ଦେଶ ପାଇ ଜାଇଦ୍‌ ରାମଲୀଳା ମୈଦାନରେ କେଜ୍ରିଓ୍ଵାଲ୍‌ଙ୍କ ସପକ୍ଷରେ ସ୍ଲୋଗାନ୍‌ ଦେଇଥିଲେ।

Image Source: Business Today

ପ୍ରଥମେ ଫେବ୍ରୁଆରି ୧୧ ତାରିଖ ଦିନ ଆମ୍‌ ଆଦ୍‌ମି ପାଟିର ମୁଖ୍ୟାଳୟ ବାହାରେ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ବେଶ ହୋଇଥିବା ଜଣେ ବାଳକର ଚିତ୍ର ପ୍ରଦର୍ଶୀତ ହୋଇଥିଲା। ସେ ବାଳକର ନାଁ ଅବ୍ୟାନ ତୋମାର। ତା’ର ବୟସ ବର୍ଷେରୁ ସାମାନ୍ୟ ଅଧିକ ହେବ। ସେ କେଜ୍ରିଓ୍ଵାଲ୍‌ଙ୍କ ମେରୁନ୍‌ ସୁଇଟର୍‌ ପରି ସୁଇଟର୍‌, ଚଷମା, ‘ଆପ୍‌’ ଟୋପି, ଏବଂ ମଫ୍‌ଲର୍‌ ପିନ୍ଧିଥିଲା। ତା’ ମୁହଁରେ ଅଙ୍କା ଯାଇଥିଲା କେଜ୍ରିଓ୍ଵାଲ୍‌ଙ୍କ ନିଶ। ଖୁବ୍‌ ଶୀଘ୍ର ଏହି ବାଳକର ଚିତ୍ର ଲୋକପ୍ରିୟ ହୋଇଯାଇଥିଲା।

ଆଜି ‘ଆପ୍‌’ର ନିମନ୍ତ୍ରଣ କ୍ରମେ ଅବ୍ୟାନ୍‌ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଆସିଥିଲା।

ସମ୍ବନ୍ଧିତ ଖବର