ନୂଆଦିଲ୍ଲୀ / ଭୁବନେଶ୍ବର: ସ୍ବାଭାବିକ ବର୍ଷାରେ ଚଳିତ ବର୍ଷର ଚାରିମାସିଆ ମୌସୁମୀ ଋତୁର ଆଜି ଅନ୍ତ ଘଟିଛି। ଏହି ଚାରି ମାସରେ ପୂରା ଦେଶରେ ସର୍ବମୋଟ ୮୨୦ ମିମି ବର୍ଷା (ସ୍ବାଭାବିକ ବର୍ଷା ୮୬୮.୬ ମିମିଠାରୁ ଅଳ୍ପ କମ୍ ) ରେକର୍ଡ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସୂଚନା ଦେଇଛି। ଏଥିସହ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ପାଣିପାଗ ବିଜ୍ଞାନୀ ଯେଉଁ ଆତଙ୍କଜନକ ଚିତ୍ର ରଖିଛନ୍ତି, ତାହା ହେଲା- ଅକ୍ଟୋବର ମାସରେ କମ୍ ବର୍ଷା ହେବ, ସ୍ବାଭାବିକଠାରୁ ଅଧିକ ତାପମାତ୍ରା ରହିପାରେ।
ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୨୦୨୩ ମୌସୁମୀ ଋତୁରେ ଏଲ୍ନିନୋ ସତ୍ତ୍ବେ କେତେକ ଅନୁକୂଳ କାରକ ଯୋଗୁ ୯୪.୪% ବର୍ଷା ହୋଇପାରିଛି, ଯାହା ସ୍ବାଭାବିକ ନ ହେଲେ ବି ତା’ର ପାଖାପାଖି। ମୌସୁମୀ ପୂର୍ବରୁ ଏବର୍ଷ ସ୍ବାଭାବିକ ବର୍ଷା ହେବ ନାହିଁ ଓ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତରାର୍ଦ୍ଧକୁ ଏଲ୍ନିନୋ (ସାମୁଦ୍ରିକ ଉଷ୍ମ ସ୍ରୋତ ଯାହାର ପ୍ରଭାବରେ ବର୍ଷା କମ୍ ହୋଇଥାଏ ଓ ପାଗ ଶୁଖିଲା ରହେ) ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ କହିଥିଲା।
ତେବେ ସାରା ଦେଶରେ ମାସିକ ବୃଷ୍ଟିପାତ ଗତ ଜୁନ ମାସରେ ଏଲ୍ପିଏର ୯୧ ପ୍ରତିଶତ, ଜୁଲାଇରେ ୧୧୩ ପ୍ରତିଶତ, ଅଗଷ୍ଟରେ ୬୪ ପ୍ରତିଶତ ଏବଂ ସେପ୍ଟେମ୍ବରରେ ୧୧୩ ପ୍ରତିଶତ ବର୍ଷା ହୋଇଛି। ଭାରତର ୩୬ଟି ପାଣିପାଗ ସବ୍ଡିଭିଜନ ମଧ୍ୟରୁ ୩ଟି (ମୋଟ ଅଞ୍ଚଳର ୯ ପ୍ରତିଶତ)ରେ
ଅତ୍ୟଧିକ ବର୍ଷା, ୨୬ଟି (୭୩ ପ୍ରତିଶତ)ରେ ସ୍ବାଭାବିକ ବର୍ଷା ଓ ୭ଟିରେ ସ୍ବଳ୍ପ ବର୍ଷା ହୋଇଥିଲା। ଏଥିସହ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ପୂର୍ବ ଉତ୍ତରପ୍ରଦେଶ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଓ କେରଳ ଆଦି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଯାଇଛି।
ଗୋଟିଏ ପଟେ ଚଳିତ ବର୍ଷ ମୌସୁମୀରେ ସ୍ବାଭାବିକ ବର୍ଷା ହୋଇଥିବା ସୂଚନା ଦେଇ ଆଇଏମ୍ଡି ଦେଶବାସୀଙ୍କୁ ଆଶ୍ବସ୍ତ କରିଛି। ଅନ୍ୟପଟେ ଆସନ୍ତା ଅକ୍ଟୋବରରେ ସାରା ଦେଶରେ ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ ଅଧିକ ରହିବ ବୋଲି ସୂଚନା ମିଳିଛି। ଦେଶର ବିଭିନ୍ନ ସ୍ଥାନରୁ ମୌସୁମୀ ଫେରିବା ଆରମ୍ଭ କରିଥିବା ବେଳେ ଆଜି ଜମ୍ମୁ-କଶ୍ମୀର, ହିମାଞ୍ଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର କିଛି କିଛି ଅଞ୍ଚଳ, ପଞ୍ଜାବ, ହରିୟାନା, ଚଣ୍ଡୀଗଡ଼ ଓ ଦିଲ୍ଲୀର ସମସ୍ତ ଅଞ୍ଚଳ ତଥା ପଶ୍ଚିମ ଉତ୍ତରପ୍ରଦେଶ, ପଶ୍ଚିମ ମଧ୍ୟ ପ୍ରଦେଶ ଓ ପୂର୍ବ ରାଜସ୍ଥାନ ଓ ପଶ୍ଚିମ ରାଜସ୍ଥାନର କିଛି କିଛି ଅଞ୍ଚଳରୁ ଆଜି ମୌସୁମୀ ଫେରିଯାଇଛି। ଫଳରେ ଅକ୍ଟୋବରରେ ରାଜ୍ୟରେ କମ୍ ବର୍ଷାର ସମ୍ଭାବନା ରହିଥିବା ବେଳେ ଦିନ ଓ ରାତିର ତାପମାତ୍ରା ବଢ଼ିବ ବୋଲି ଆଶଙ୍କା କରାଯାଉଛି।
ଏପଟେ ଉତ୍ତର ବଙ୍ଗୋପସାଗର କେନ୍ଦ୍ରୀୟ ଅଞ୍ଚଳରେ ଗତକାଲି ରହିଥିବା ଲଘୁଚାପ କ୍ଷେତ୍ର ଆଜି ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ର ଭାବେ ସେହି ଅଞ୍ଚଳରେ ରହିଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳରେ ରହିବ। ଫଳରେ ଆସନ୍ତାକାଲି ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ ଓ ମୟୂରଭଞ୍ଜ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏହିସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କଟକ, ଯାଜପୁର, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଖୋର୍ଧା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ୨ ତାରିଖ ଦିନ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଓ ସୋନପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏହି ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବ। ବର୍ଷା ସମ୍ଭାବନା ମଧ୍ୟ ରହୁଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।
‘
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/temperture-fff222.jpg)