ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମଳରେ ଭାରତ ଅଚ୍ଛେ ଦିନ୍‌ ଆସିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ୨୦୧୪ ମସିହାରେ ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହି ବର୍ଷ ପ୍ରାୟ ୧.୨୯ ଲକ୍ଷ ‌ଭାରତର ନାଗରିକତା ଛାଡ଼ିଥିଲେ। କିନ୍ତୁ ଚଳିତବର୍ଷ ଆରମ୍ଭରୁ ଅକ୍ଟୋବର ଶେଷ ସୁଦ୍ଧା ଭାରତର ନାଗରିକତା ଛାଡ଼ିଥିବା ଲୋକଙ୍କ ସଂଖ୍ୟା ୧.୮୩ ଲକ୍ଷ ଟପିସାରିଲାଣି। ତେଣୁ ବର୍ଷ ଶେଷବେଳକୁ ଏହି ସଂଖ୍ୟା ଆହୁରି ଅଧିକ ହେବ।

Advertisment

୨୦୨୨ରେ ଭାରତ ଛାଡ଼ିଥିବା ଲୋକଙ୍କ ସଂଖ୍ୟାକୁ ମିଶାଇଲେ ଗତ ୯ ବର୍ଷ ମଧ୍ୟରେ ଭାରତର ନାଗରିକତା ଛାଡ଼ିବା ଲୋକଙ୍କ ସଂଖ୍ୟା ପାଖାପାଖି ୧୨ ଲକ୍ଷ ୫୦ ହଜାରରେ ପହଞ୍ଚିଯିବ। ଗତ ୧୧ ବର୍ଷ ମଧ୍ୟରେ ଚଳିତବର୍ଷ ସର୍ବାଧିକ ଲୋକ ଭାରତର ନାଗରିକତା ଛାଡ଼ିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ଦିଆଯାଇଥିବା ସୂଚନା ଅନୁଯାୟୀ ଚଳିତବର୍ଷ ଅକ୍ଟୋବର ୩୧ ପର୍ଯ୍ୟନ୍ତ ୧ ଲକ୍ଷ ୮୩ ହଜାର ୭୪୧ ଜଣ ଭାରତର ନାଗରିକତା ଛାଡ଼ିଛନ୍ତି।

publive-image Times of India

୨୦୧୪ରେ ୧ ଲକ୍ଷ ୨୯ ହଜାର ୩୨୮ ଜଣ, ୨୦୧୫ରେ ୧ ଲକ୍ଷ ୩୧ ହଜାର ୪୮୯ ଜଣ, ୨୦୧୬ରେ ୧ ଲକ୍ଷ ୪୧ ହଜାର ୬୦୩ ଜଣ, ୨୦୧୭ରେ ୧ ଲକ୍ଷ ୩୩ ହଜାର ୪୯ ଜଣ, ୨୦୧୮ରେ ୧ ଲକ୍ଷ ୩୪ ହଜାର ୫୬୧ ଜଣ, ୨୦୧୯ରେ ୧ ଲକ୍ଷ ୪୪ ହଜାର ୧୭ ଜଣ, ୨୦୨୦ରେ ୮୫ ହଜାର ୨୫୬ ଜଣ ଏବଂ ୨୦୨୧ରେ ୧ ଲକ୍ଷ ୬୩ ହଜାର ୩୭୦ ଜଣ ଭାରତର ନାଗରିକତା ଛାଡ଼ିଛନ୍ତି। କଂଗ୍ରେସ ସାଂସଦ ଅବଦୁଲ ଖଲିକଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ବିଦେଶ ବ୍ୟାପାର ରା‌ଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଏହି ସୂଚନା ଦେଇଛନ୍ତି।
୨୦୧୧ରେ ୧ ଲକ୍ଷ ୨୨ ହଜାର ୮୧୯ ଜଣ ଭାରତର ନାଗରିକତା ଛାଡ଼ିଥି‌ଲେ। ୨୦୧୨ରେ ଉକ୍ତ ସଂଖ୍ୟା ୧ ଲକ୍ଷ ୨୦ ହଜାର ୯୨୩କୁ ହ୍ରାସ ପାଇଥିବାବେଳେ ୨୦୧୩ରେ ୧ ଲକ୍ଷ ୩୧ ହଜାର ୪୦୫କୁ ବୃଦ୍ଧି ପାଇଥିଲା। ୨୦୧୬, ୨୦୧୭ ଏବଂ ୨୦୨୦କୁ ବାଦ ଦେଲେ ଅନ୍ୟ ବର୍ଷଗୁଡ଼ିକରେ ଭାରତୀୟମାନଙ୍କ ନାଗରିକତା ଛାଡ଼ିବା ସଂଖ୍ୟା ବୃଦ୍ଧି ପାଇଛି।

ଆମେରିକାର ନାଗରିକତା ହାସଲ ପାଇଁ ଅଧିକ ଲୋକ ଭାରତୀୟ ନାଗରିକତା ପରିତ୍ୟାଗ କରିଛନ୍ତି। ପୂର୍ବରୁ ସରକାର ଲୋକସଭାରେ ଦେଇଥିବା ସୂଚନା ଅନୁଯାୟୀ, ୨୦୨୧ରେ ଆମେରିକାର ନାଗରିକତା ହାସଲପରେ ୭୮ ହଜାର ୨୮୪ ଜଣ ଭାରତୀୟ ନାଗରିକତା ଛାଡ଼ିଛନ୍ତି। ୨୦୧୯ରେ ଉକ୍ତ ସଂଖ୍ୟା ୬୧ ହଜାର ୬୮୩ ଏବଂ ୨୦୨୦ରେ ୩୦ ହଜାର ୮୨୮ ରହିଥିଲା। ସେହିଭଳି ୨୦୧୯, ୨୦୨୦ ଏବଂ ୨୦୨୧ରେ କାନାଡ଼ା ଯଥାକ୍ରମେ ୨୫ ହଜାର ୩୮୧, ୧୭ ହଜାର ୯୩ ଏବଂ ୨୧ ହଜାର ୫୯୭ ଜଣଙ୍କୁ ନାଗରିକତା ପ୍ରଦାନ କରିଛି। ଆମେରିକା ଏବଂ କାନାଡ଼ା ପଛକୁ ବ୍ରିଟେନ ତୃତୀୟ ସ୍ଥାନରେ ରହିଛି। ୨୦୧୯, ୨୦୨୦ ଏବଂ ୨୦୨୧ରେ ବ୍ରିଟେନ ଯଥାକ୍ରମେ ୧୪,୩୦୪ ଜଣ, ୬୪୮୯ ଜଣ ଏବଂ ୧୪୬୩୭ ଜଣଙ୍କୁ ନାଗରିକତା ପ୍ରଦାନ କରିଛି।