ନୂଆଦିଲ୍ଲୀ: ଦେଶର ସହରାଞ୍ଚଳଗୁଡ଼ିକରେ ବେକାରୀ ହାର ଚିନ୍ତାଜନକ ରହିଛି। ଗତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ଅବଧିରେ ସହରାଞ୍ଚଳରେ ବେକାରୀ ହାର ୧୦.୩ ପ୍ରତିଶତ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷର ଉକ୍ତ ତ୍ରୟମାସରେ ବେକାରୀ ହାର ୭.୮ ପ୍ରତିଶତ ଥିଲା। କରୋନା ମହାମାରୀ ପାଇଁ ଅନେକ ଲୋକ ସେମାନଙ୍କ ଚାକିରି ହରାଇଥିବା କାରଣରୁ ସହରାଞ୍ଚଳରେ ବେକାରୀ ହାର ଅଧିକ ରହିଛି। ତେବେ ଭାରତରେ ମହାମାରୀ ଏବଂ ଲକଡାଉନ୍ ଆରମ୍ଭ ସମୟରେ ୨୦୧୯-୨୦ର ଏପ୍ରିଲ-ଜୁନ୍‌‌ରେ ବେକାରୀ ହାର ୨୦.୮ ପ୍ରତିଶତ ଭଳି ଉଚ୍ଚସ୍ତରରେ ଥିବାବେଳେ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ତାହା ୧୩.୨ ପ୍ରତିଶତକୁ ହ୍ରାସ ପାଇଥିଲା। ତେବେ ଦ୍ବିତୀୟ ଲହର ପରେ ଅର୍ଥନୀତିକୁ ଖୋଲାଯିବା ଦ୍ବାରା ରୋଜଗାର ସ୍ଥିତିରେ କିଛିଟା ଉନ୍ନତି ଆସିଛି। କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପିଏଲଏଫଏସ ରିପୋର୍ଟରୁ ଏହା ଜଣାଯାଇଛି।

Advertisment

ଗତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତଥ୍ୟକୁ ଦେଖିଲେ ମହିଳାଙ୍କ ବେକାରୀ ହାର ୧୩.୧ ପ୍ରତିଶତ ଥିବାବେଳେ ପୁରୁଷଙ୍କ ବେକାରୀ ହାର ୯.୫ ପ୍ରତିଶତ ରହିଥିଲା। ଏହା ପୂର୍ବର ଅକ୍ଟୋବର ଡିସେମ୍ବରରେ ମହିଳା ଏବଂ ପୁରୁଷଙ୍କ ବେକାରି ହାରା ଯଥାକ୍ରମେ ୯.୮ ପ୍ରତିଶତ ଏବଂ ୭.୩ ପ୍ରତିଶତ ରହିଥିଲା। ଯୁବ (୧୫ରୁ ୨୯ ବର୍ଷ) ବେକାରୀ ହାର ଗତବର୍ଷ ଅକ୍ଟୋବର ଡିସେମ୍ବର ଅବଧିରେ ୨୪.୯ ପ୍ରତିଶତ ଥିଲା। ରାଜ୍ୟଗୁଡ଼ିକ ମଧ୍ୟରେ ଗତବର୍ଷ ଅକ୍ଟୋବର -ଡିସେମ୍ବର ଅବଧିରେ ଜମ୍ମୁ କାଶ୍ମୀରର ସହରାଞ୍ଚଳରେ ବେକାରୀ ହାର ସର୍ବାଧିକ ୧୭.୮ ପ୍ରତିଶତ ଥିବାବେଳେ ଏହା ପଛକୁ କେରଳ ୧୬.୭ ପ୍ରତିଶତ, ଝାଡ଼ଖଣ୍ଡ ୧୬ ପ୍ରତିଶତ, ଓଡ଼ିଶା ୧୫ ପ୍ରତିଶତ ଏବଂ ଛତିଶଗଡ଼ ୧୪.୫ ପ୍ରତିଶତ ରହିଥିଲା। ଅନ୍ୟପକ୍ଷରେ ଗୁଜରାଟରେ ବେକାରି ହାର ସର୍ବନିମ୍ନ ଅର୍ଥାତ ୪ ପ୍ରତିଶତ ରହିଥିଲା। ୧୨ଟି ରାଜ୍ୟରେ ଉପରୋକ୍ତ ସମୟରେ ବେକାରୀ ହାର ୧୦ ପ୍ରତିଶତ ଉପରେ ରହିଥିଲା। ତେବେ ଗତବର୍ଷ ଏପ୍ରିଲ-ଜୁଲାଇରେ ୨୨ଟି ରାଜ୍ୟରେ ବେକାରୀ ହାର ୧୦ ପ୍ରତିଶତ ଉପରେ ଥିଲା।